ବିକାଶର ଧାରାରେ ଓଡିଶାକୁ ଯୋଡିବାକୁ ଆହ୍ୱାନ

0
948
bjp amit saha
bjp amit saha
ଭବାନୀପାଟଣା :   ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶର ଧାରାରେ ଓଡିଶାକୁ ଯୋଡିବାକୁ ଆହ୍ୱାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ।  ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଶାହା ଭବାନୀ ପାଟଣାର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ।

  ଶ୍ରୀ ଶାହା କହିଛନ୍ତି ଯେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି । ୭ ପ୍ରତିଶତ ସ୍କୁଲରେ ସବୁ ଶ୍ରେଣୀକୁ ପଢାଇବା ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ୬୬ ପ୍ରତିଶତ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ନାହାନ୍ତି । ଦେଶର ଶହେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର କାହିଁକି ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ନାହିଁ । ରାଜ୍ୟ ସାରା ଡାକ୍ତରଙ୍କ ଘୋର ଅଭାବ କାରଣରୁ ସ୍ୱାସ୍ଥ୍ୟ ସେବା ଭୁଷୁଡି ପଡିଛି । ଅପରପକ୍ଷରେ ମୋଦି ସରକାର ଦେଶର ୧୦ କୋଟି ପରିବାରକୁ ପାଂଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । ଡାକ୍ତରଖାନାରେ ରହି ଚିକିତ୍ସା ହେବାର ଖର୍ଚ୍ଚ ସିଧା ସିଧା ମୋଦି ସରକାର ବହନ କରିବେ । ଓଡିଶାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଛି । ୧୨ ହଜାର ୪୪୭ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସତ୍ୱେ ବି ସବୁ ଦିନିଆ ସଡକ ପହଂଚି ପାରି ନାହିଁ । ପୁଷ୍ଟିହୀନତାରୁ ମୁକ୍ତି ପାଇଁ ପ୍ରଚୁର ଆର୍ଥିକ ବ୍ୟବସ୍ଥା ସତ୍ୱେ ୮ ଲକ୍ଷ ୪୦ ହଜାର ପୁଷ୍ଟିହୀନ ଶିଶୁଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି ।

ବିଜେପି ମୋଦିଙ୍କ ନେତୃତ୍ୱରେ ଏପରି ଏକ ଓଡିଶାର ପରିକଳ୍ପନା କରିଛି ଯେଉଁଠି ଓଡିଆ ଯୁବକ ମା, ବାପା, ସ୍ତ୍ରୀ, ପିଲାଙ୍କ ସହ ରହି ଓଡିଶାରେ ରୋଜଗାର କରି ସୁଖ ଶାନ୍ତିରେ ଜୀବନ ବିତାଇ ପାରିବ । ଓଡିଶାରେ ବିଜେପି ସରକାର ଆସିଲେ ସବୁ ଘରକୁ ୨୪ ଘଂଟିଆ ବିଜୁଳି, ବିଶୁଦ୍ଧ ପାନୀୟ ଜଳ, ଉତମ ସଡକ ଓ ରୋଜଗାର ସୁବିଧା ଯୋଗାଇ ଦିଆ ଯିବ । ସମସ୍ତଙ୍କ ମୁଣ୍ଡ ଉପରେ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେବେ । ଚତୁର୍ଦଶ ଅର୍ଥ କମିଶନରେ ରାଜ୍ୟ ମାନଙ୍କୁ ଅଧିକ ଅର୍ଥ ଯୋଜନା ସହ ଓଡିଶା ପାଇଁ ରେଳପଥ, ଜାତୀୟ ରାଜମାର୍ଗ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ, ସୌଭାଗ୍ୟ ଓ ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନାରେ ବିଜୁଳି, ମେଡିକାଲ କଲେଜ, ଆକାଶପଥରେ ସାରା ଓଡିଶାକୁ ଯୋଡିବା ପାଇଁ କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ଅର୍ଥକୁ ସଠିକ ଭାବେ ଲୋକଙ୍କ ପାଖରେ ପହଂଚି ପାରୁ ନାହିଁ ବୋଲି ଶ୍ରୀ ଶାହା  କହିଛନ୍ତି ।