ବିଜେଡ଼ିରେ ମିଶିଲେ ସୌମ୍ୟ ଓ ଅଚ୍ୟୁତ

0
880

ଭୁବନେଶ୍ୱର : ଆମ ଓଡ଼ିଶା ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ କିସ୍ ଓ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ  ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ଆନୁଷ୍ଠାନିକ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସୌମ୍ୟରଞ୍ଜନ ଓ ଅଚ୍ୟୁତ ବିଜେଡ଼ିରେ ମିଶିବା ପରେ ସୌମ୍ୟରଞ୍ଜନ ବିଜେଡ଼ି ପାଇଁ ଆସେଟ୍ ହେବେ । ସୌମ୍ୟ ପଟ୍ଟନାୟକ ବିଜେଡିରେ ଯୋଗ ଦେବା ଦ୍ୱାରା ବିଜେଡି ଅଧିକ ସମୃଦ୍ଧ ହେବ। ଅଚ୍ୟୁତଙ୍କ ମିଶ୍ରଣ ବିଜେଡ଼ିକୁ ସଶକ୍ତ କରାଇବ । ଅଚ୍ୟୁତଙ୍କୁ ଦଳକୁ ସ୍ୱାଗତ କରିବା ସହ ସେ ଦଳ ପାଇଁ ବେଶ ଉପଯୋଗୀ ହୋଇପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

soumya

ଦଳରେ ମିଶିବା ପରେ ସୌମ୍ୟରଞ୍ଜନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋ ପାଇଁ ଦଳ ଅପେକ୍ଷା ପ୍ରସଙ୍ଗ ଗୁୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେଡ଼ିରେ ଯୋଗ ଦେଇଛି ବୋଲି ସେ ସ୍ପଷ୍ଟ କରିଥିଲେ । ୨୩ ବର୍ଷ ତଳେ ସେ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପରେ ବିଜୁ ବାବୁ ତାଙ୍କ ସହିତ କାମ କରିବା ପାଇଁ ତାଙ୍କୁ ଡାକିଥିଲେ। ୨୩ ବର୍ଷ ପରେ ବିଜୁବାବୁଙ୍କ ନାମରେ ନାମିତ ଦଳରେ ସେ ସାମିଲ ହୋଇଛନ୍ତି। ବର୍ତ୍ତମାନ ଦେଶ ଓ ରାଜ୍ୟର ରାଜନୈତିକ ସ୍ଥିତି ଯାହା, ସେଥିରେ ରାଜ୍ୟର ସ୍ୱାର୍ଥ , ସ୍ୱାଭିମାନ ଓ ବିକାଶ ପାଇଁ ସେ ଚାହାନ୍ତିି। ତେଣୁ ଗୋଟିଏ ବିଚାର ସପକ୍ଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏ ନେଇ କୌଣସି ସର୍ତ୍ତ ସେ ରଖି ନାହାନ୍ତିି। ବର୍ତ୍ତମାନ ଅବସ୍ଥାରେ ବ୍ୟକ୍ତି, ଦଳ ବଡ଼ ନୁହେଁ, ବରଂ ପ୍ରସଙ୍ଗ ଗୁରୁତ୍ୱ ବହନ କରୁଛି। ତେଣୁ ଆଗାମୀ ଦିନରେ ସେ ଚାଷୀ  ଓ ଜମାକାରୀଙ୍କ ସ୍ୱାର୍ଥ ଲାଗି ତାଙ୍କ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଦଳରେ ମିଶିବା ପରେ ଅଚ୍ୟୁତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳରେ ଯୋଗଦେଇ ସେ ଖୁସି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସେ ଅଭିଭୂତ । ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂତି, ସାଧୂୁତା, ନିଷ୍ଠା ଓ ସରଳତା ପାଇଁ ସେ ବିଜେଡି ପ୍ରତି ଆକୃଷ୍ଟ ହୋଇଛନ୍ତି । ସାମାଜିକ ପ୍ରତିବଦ୍ଧତା ସହିତ ଜନହିତକର କାର୍ଯ୍ୟ ଓ ସମାଜସେବାକୁ ଆଗେଇ ନେବାରେ ଏହି ଯୋଗଦାନ ସହାୟକ ବୋଲି କହିଛନ୍ତି ଅଚ୍ୟୁତ । ଅଚ୍ୟୁତ ଓଡ଼ିଶାର ବିକାଶ ଦିଗରେ ବିଜେଡ଼ିର ବଳିଷ୍ଠ ଭୂମିକା ତାଙ୍କୁ ଦଳକୁ ଟାଣି ଆଣିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବିକ୍ରମକେଶରୀ ଆରୁଖ, ସମୀର ଦାସ, ଉଷା ଦେବୀ, ସ୍ନେହାଙ୍ଗୀନି ଛୁରିଆ, ବେଦପ୍ରକାଶ ଅଗ୍ରଓ୍ଵାଲ, ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବିଜେଡ଼ିର ବହୁ ବିଧାୟକ, ମନ୍ତ୍ରୀ ଯୋଗ ଦେଇଥିଲେ ।

achyuta

ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ବିଜେଡ଼ିରେ ମିଶିବାର କିଛି ସମୟ ପରେ ଅଚ୍ୟୁତଙ୍କ ଯୋଗଦାନ ଶଙ୍ଖ ଦଳର ନେତା ଓ କର୍ମୀଙ୍କୁ ଉତ୍ସାହିତ କରାଇଛି । ଦୀର୍ଘଦିନ ଧରି ନିଜ ମାଲିକାନାରେ ଥିବା କଳିଙ୍ଗ ଟିଭିକୁ ବିଜେଡ଼ି ପାଇଁ ଉତ୍ସର୍ଗୀକୃତ କରିବା ଅଚ୍ୟୁତ ବିଜେଡ଼ି ସପକ୍ଷରେ ଛଦ୍ମ ଲଢେଇ ଲଢୁଥିଲେ । ଏବେ ସାମ୍ନାକୁ ଆସିବା ପରେ ଲଢେଇ ଆହୁରି ଜୋରଦାର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ଏନସିପିରେ ଯୋଗ ଦେଇଥିଲେ। ମାତ୍ର ଏନସିପିର କେନ୍ଦ୍ରୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇ ଶ୍ରୀ ପଟ୍ଟନାୟକ ଏନସିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ଟିିକେଟରେ ଲଢ଼ି ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ କଂଗ୍ରେସ ଦଳରେ ଚାଲିଥିବା ଚକ୍ରାନ୍ତ ଓ ରାଜ୍ୟ କଂଗ୍ରେସକୁ ଦୁର୍ବଳ କରୁଥିବା ଗୋଷ୍ଠୀ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ କୁଚକ୍ରୀ ଗୋଷ୍ଠୀଙ୍କ ଚାପରେ ତାଙ୍କୁ କଂଗ୍ରେସରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ପଟ୍ଟନାୟକ ଆମ ଓଡ଼ିଶା ପାର୍ଟି ଗଠନ କରିବା ସହିତ ଏହାର ଅଧ୍ୟକ୍ଷ ଭାବେ ଖଣ୍ଡପଡ଼ା ଆସନରୁ ନିର୍ବାଚନ ଲଢ଼ିଥିଲେ। ମାତ୍ର ୫ଶହ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଶ୍ରୀ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ଶ୍ରୀ ପଟ୍ଟନାୟକ ଚାଷୀ ଓ ଚିଟ୍‌ଫଣ୍ଡ ଜମାକାରୀଙ୍କର ସଙ୍ଗଠନରେ ସାମିଲ ହୋଇ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଚଳାଇଛନ୍ତି। ନବ ନିର୍ମାଣ କୃଷକ ସଙ୍ଗଠନ ଜରିଆରେ ଶ୍ରୀ ପଟ୍ଟନାୟକ କୃଷକମାନଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରଖିଛନ୍ତି।

 

ଅପରାହ୍ଣରେ ବିଜେଡି ଘୋଷଣା କରିବ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ

rajya sabha election pain jari hela bighyanpti

ଆଜି ଅପରାହ୍ଣ ୫ଟା ସମୟରେ ବିଜେଡ଼ି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସୈାମ୍ୟରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ନବୀନ ଏହା କହିଛନ୍ତି । ନବୀନଙ୍କ ଏହି ପ୍ରତିକ୍ରିୟା, ରାଜ୍ୟସଭା ରେସର କଳ୍ପନା ଜଳ୍ପନାରୁ ସାମୟିକ ଭାବେ ପରଦା ହଟାଇଛି । ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କୀ ଓ ଏ.ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରୁଛି । ନିର୍ବାଚନ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ୧୨ ତାରିଖ ରହିଛି ନାମାଙ୍କନ ଦାଖଲର ଶେଷ ଦିନ । ଆଉ ଆଜି ସ୍ଥିତି ସ୍ପଷ୍ଟ ହେବ, କିଏ ଯିବ ସଂସଦର ଉଚ୍ଚ ସଦନକୁ । ବିଜେଡି ଭିତରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ନବୀନ ପୂର୍ବରୁ କହିସାରିଛନ୍ତି, ୩ ଜଣ ରାଜନୈତିକ ବ୍ୟକ୍ତି ବିଶେଷ ହିଁ ରାଜ୍ୟସଭା ଯିବେ । ଯାହା ମଧ୍ୟ ସେହି ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ନବୀନ ରାଜ୍ୟସଭା ଗୋଟିଚାଳନା କରିବା ନେଇ ଚର୍ଚ୍ଚା ହେଉଛି ।