ମାର୍ଚ୍ଚ ୨୦ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହେବ । ଏହି ଅଧିବେଶନର ୪୭ ଦିନ ରହିଥିଲେ ମଧ୍ୟ ୩୧ ଦିନ କାର୍ଯ୍ୟଦିବସ ଭାବେ ରହିଛି । ୨୩ ତାରିଖ ଦିନ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ମାର୍ଚ୍ଚ ୨୭ ଓ ୨୮ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା କରାଯିବ । ୨୯ ତାରିଖ ଦିନ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କାମଚଳା ବଜେଟ ଉପସ୍ଥାପନ କରିବେ ଏବଂ ତା ଉପରେ ଆଲୋଚନା କରାଯିବ । ୩୧ ତାରିଖ ଦିନ ଏହି କାମଚଳା ବଜେଟ ଜନିତ ବ୍ୟୟମଂଜୁରୀ ବିଲକୁ ଅର୍ଥମନ୍ତ୍ରୀ ଉପସ୍ଥାପନା କରିବେ, ଆଲୋଚନା ପରେ ତାହା ଗୃହୀତ ହେବ ।
ଏପ୍ରିଲ ୧ରୁ ୧୦ ବୈଠକ ବସିବ ନାହିଁ । ଏହି ସମୟ ମଧ୍ୟରେ ସରକାରୀ ବିଭାଗ ଜନିତ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ବସି ବିଭାଗୀୟ ବଜେଟ ଉପରେ ସମୀକ୍ଷା କରିବେ । ୧୧ ତାରିଖ ଦିନ ଷ୍ଟାଣ୍ଡି କମିଟି ଗୁଡ଼ିକ ତାଙ୍କର ପ୍ରସ୍ତୁତ ରିପୋର୍ଟ ଉପସ୍ଥାପନ କରିବେ । ୩୦ ତାରିଖରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ବଜେଟ ଜନିତ ବ୍ୟୟ ମଂଜୁରୀ ବିଲ ଆଗତ କରିବେ । ତା ଉପରେ ଆଲୋଚନା କରାଯିବା ପରେ ଗୃହରେ ଅନୁମୋଦନ ଲାଭ କରିବ ।