ବ୍ୟାପକ ଯୋଜନା : ମହାନଦୀ ଓ ଶାଖା ନଦୀରେ ନିର୍ମାଣ ହେବ ୨୯ଟି ବ୍ୟାରେଜ

0
908
barrage in mahanadi
barrage in mahanadi

ଭୁବନେଶ୍ୱର : ମହାନଦୀ ଓ ଶାଖା ନଦୀରେ ନିର୍ମାଣ ହେବ ୨୯ଟି ବ୍ୟାରେଜ । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ପାନୀୟ ଜଳ ଓ ଜଳସେଚନର ସମସ୍ୟା ଦୂର ହୋଇପାରିବ ବୋଲି ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।
ମହାନଦୀକୁ ନେଇ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ମହାନଦୀରେ ବ୍ୟାରେଜ ଓ ଆନିକଟ୍ ଭଳି ୭ଟି ପ୍ରକଳ୍ପ ନିର୍ମାଣ କରାଯିବ। ଏହା ସହ ମହାନଦୀର ଶାଖା ଓ ଉପନଦୀରେ ମଧ୍ୟ ୨୨ଟି ବ୍ୟାରେଜ୍ ଓ ଆନିକଟ୍ ନିର୍ମାଣ କରାଯିବ । ଏଭଳି ମୋଟ ୨୯ଟି ବ୍ୟାରେଜ ନିର୍ମାଣ କରାଯିବ ବୋଲି ଜଳସମ୍ପଦ ସଚିବ ଶ୍ରୀ ଜେନା ଆଜି ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ପାନୀୟ ଜଳ ଓ ଜଳସେଚନର ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ହୀରାକୁଦର ତଳମୁଣ୍ଡରୁ ପାରାଦୀପ ମଧ୍ୟରେ ମହାନଦୀରେ ୭ଟି ପ୍ରକଳ୍ପ ନିର୍ମାଣ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ସରକାର ମଧ୍ୟ ସ୍ୱୀକାର କରୁଛନ୍ତି ଯେ ମହାନଦୀର ୫୨ ପ୍ରତିଶତ ଜଳ ସମୁଦ୍ରରେ ମିଶୁଛି । ମହାନଦୀର ମାତ୍ର ୪୮ ପ୍ରତିଶତ ଅର୍ଥାତ ୨୨ହଜାର ୯୪୮ ମିଲିୟନ୍ କ୍ୟୁବିକ୍ ମିଟର ଜଳ ଓଡ଼ିଶା ବ୍ୟବହାର କରିପାରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି। ମହାନଦୀ ଦେଇ ଯଦିଓ ୪୮ ହଜାର ୭୩୨ ମିଲିୟନ୍ କ୍ୟୁବିକ୍ ମିଟର ଜଳ ପ୍ରବାହିତ ହେଉଛି, ହେଲେ ଆନିକଟ ଓ ବ୍ୟାରେଜ୍ ନିର୍ମାଣ ନହେବା ଫଳରେ ୨୫ ହଜାର ୭୮୩ କ୍ୟୁବିକ୍ ମିଟର ଜଳ ସମୁଦ୍ରରେ ମିଶୁଛି । ସେଥିପାଇଁ ଜଳ ସଂରକ୍ଷଣ ଏବଂ ଜଳସେଚନ ପାଇଁ ସରକାର ଏବେ ମହାନଦୀରେ ୭ଟି ବ୍ୟାରେଜ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।