ମକ୍କା ମସଜିଦ ବିସ୍ଫୋରଣ ମାମଲା : ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

0
871
Swami-Asimananda
Swami-Asimananda

ହାଇଦ୍ରାବାଦ :   ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଅସୀମାନନ୍ଦ ସମେତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏର ସ୍ଵତନ୍ତ୍ର କୋର୍ଟ।

ହାଇଦ୍ରାବାଦର ଐତିହାସିକ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଦୀର୍ଘ ୧୧ ବର୍ଷ ପରେ ଏନଆଇଏର ସ୍ଵତନ୍ତ୍ର କୋର୍ଟର ରାୟ  ଆସିଛି। କୋର୍ଟ ଏହି ମାମଲାରେ ଅସୀମାନନ୍ଦ ସମେତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ରାୟ ଶୁଣାଣି ପାଇଁ ଅଭିଯୁକ୍ତ ଅସୀମାନନ୍ଦଙ୍କୁ ନମାପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା।  ସ୍ଵାମୀ ଅସୀମାନନ୍ଦ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ।  ୨୦୦୭ ମେ ୧୮ରେ ମସଜିଦରେ ନମାଜ ପାଠ ସମୟରେ ହୋଇଥିବା ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଥିଲେ। ପରେ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ପୋଲିସ ଗୁଳି ଚାଳନାରେ ମଧ୍ୟ କିଛି ଲୋକ ପ୍ରାଣ ହରାଇଥିଲେ। ଗତ ୧୧ ବର୍ଷରେ ଏହି ମାମଲାରେ ଅନେକ ନାଟକୀୟ ମୋଡ଼ ଆସିଛି। ଅନେକ ସାକ୍ଷୀ ନିଜର ବୟାନରୁ ଓହରି ଯିବାରୁ ଆଜି ଏହି ରାୟ ପ୍ରକାଶ ପାଇଛି।

ଏହି ମାମଲାର ତଦନ୍ତ ସର୍ବ ପ୍ରଥମେ ହାଇଦ୍ରାବାଦ ପୋଲିସ କରିଥିଲା।  ପୋଲିସ ନିଜର ତଦନ୍ତରେ କୌଣସି ମୁସଲିମ ସଂଗଠନର ନାମ ନେଇଥିଲା, ମାତ୍ର ଯେବେ ଏହି ମାମଲାର ତଦନ୍ତଭାର ସିବିଆଇ ପାଖକୁ ଗଲା ଏଥିରେ ହିନ୍ଦୁବାଦୀ ସଂଗଠନ ଅଭିନବ ଭାରତର ନାମ ସାମ୍ନାକୁ ଆସିଥିଲା। ଏହା ପରେ ୫ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା।  ସିବିଆଇ ଅଧିକାରୀ ୬୮ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଥିଲା।  ଏଥିରେ ୫୪ ଜଣ ସାକ୍ଷୀ ନିଜର ବୟାନରୁ ଓହରି ଯାଇଥିଲେ। ପରେ ସିବିଆଇ ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଠ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ମାତ୍ର ଏବେ ସମସ୍ତ ୫ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ସମସ୍ତ ଅଭିଯୁକ୍ତ ଦେବେନ୍ଦ୍ର ଗୁପ୍ତା, ଲୋକେଶ ଶର୍ମା, ସ୍ଵାମୀ ଅସୀମାନନ୍ଦ ଓରଫ ନବା କୁମାର ସରକାର, ଭାରତ ମୋହନଲାଲ ରତ୍ନେଶ୍ଵର ଓରଫ ଭାରତ ଭାଇ ଓ ରାଜେନ୍ଦ୍ର ଚୌଧୁରୀଙ୍କୁ ଏନଆଇଏର ସ୍ଵତନ୍ତ୍ର ଅଦାଲତ ଆଜି ଦୋଷ ମୁକ୍ତ କରିଛି। ଯେଉଁ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ସେମାନଙ୍କ ମଧ୍ୟରୁ ସ୍ଵାମୀ ଅସୀମାନନ୍ଦ ଓ ଭାରତ ମୋହନଲାଲ ରତ୍ନେଶ୍ଵର ଓରଫ ଭରତ ଭାଇ ଜାମିନରେ ଏବେ ବାହାରେ ଅଛନ୍ତି। ବାକି ୩ ଜଣ ଜେଲରେ ଅଛନ୍ତି।  ଏହି ମାମଲାକୁ ପ୍ରଥମେ ହାଇଦ୍ରାବାଦ ପୋଲିସ ତଦନ୍ତ କରୁଥିଲା। ପରେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଗଲା। ୨୦୧୧ରେ  ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା।  ଏହି ମାମଲାରେ ମୋଟ୍ ୧୬୦ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।  ଏଥିରୁ ୫୪ ସାକ୍ଷୀ ନିଜ ବୟାନରୁ ଓହରି ଯାଇଥିଲେ। ଏହି ଘଟଣାର ପୁରା ଶୁଣାଣି ସମୟରେ ୨୨୬ ସାକ୍ଷୀଙ୍କୁ ପଚରାଉଚୁରା କରାଯାଇଥିଲା ଏବଂ ୪୧୧ ପୃଷ୍ଠାର ରିପୋର୍ଟ ଉପସ୍ଥାପନ କରାଯାଇଥିଲା।