ମକ୍କା ମସଜିଦ ମାମଲା: ରାୟ ଦେବା ପରେ ଜଜଙ୍କ ଇସ୍ତଫା

0
842
judge resigned
judge resigned

ହାଇଦ୍ରାବାଦ :  ନିଜ ପଦରୁ ଇସ୍ତଫା ଦେଇଛନ୍ତି ସ୍ଵତନ୍ତ୍ର ଏନଆଇଏ କୋର୍ଟର ଜଜ ରବିନ୍ଦର ରେଡ୍ଡୀ। ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ରାୟ ଶୁଣାଇବାର କିଛି ସମୟ ପରେ ସେ ଅଚାନକ ଇସ୍ତଫା

ହାଇଦ୍ରାବାଦର ପ୍ରସିଦ୍ଧ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ରାୟ ଶୁଣାଇବାର କିଛି ସମୟ ପରେ  ସ୍ଵତନ୍ତ୍ର ଏନଆଇଏ କୋର୍ଟର ଜଜ ରବିନ୍ଦର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ରେଡ୍ଡୀ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଇସ୍ତାଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ରାୟ ଦେବାର କିଛି ଘଣ୍ଟା ପରେ ଅଚାନକ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। ଇସ୍ତଫା ଦେବା ସେ ଛୁଟିରେ ଚାଲି ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ସ୍ଵତନ୍ତ୍ର ଏନଆଇଏ କୋର୍ଟ ୧୧ ବର୍ଷ ପୁରୁଣା  ମକ୍କା ମସଜିଦ ବିସ୍ଫୋରଣ ଘଟଣାରେ ସୋମବାର ରାୟ ଶୁଣାଇ ପ୍ରମାଣ ଅଭାବରୁ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।  ସ୍ଵତନ୍ତ୍ର ଏଆଇଏ କୋର୍ଟ ଅଭିଯୁକ୍ତ ସ୍ଵାମୀ ଅସୀମାନନ୍ଦ ସମେତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଥିଲା। ରାୟ ଶୁଣାଣି ପାଇଁ ଅଭିଯୁକ୍ତ ଅସୀମାନନ୍ଦଙ୍କୁ ନମାପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା।  ସ୍ଵାମୀ ଅସୀମାନନ୍ଦ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ। ସ୍ଵାମୀ ଅସୀମାନନ୍ଦ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ।

୨୦୦୭ ମେ ୧୮ରେ ମସଜିଦରେ ନମାଜ ପାଠ ସମୟରେ ହୋଇଥିବା ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଥିଲେ। ପରେ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ପୋଲିସ ଗୁଳି ଚାଳନାରେ ମଧ୍ୟ କିଛି ଲୋକ ପ୍ରାଣ ହରାଇଥିଲେ। ଗତ ୧୧ ବର୍ଷରେ ଏହି ମାମଲାରେ ଅନେକ ନାଟକୀ ମୋଡ଼ ଆସିଛି। ଅନେକ ସାକ୍ଷୀ ନିଜର ବୟାନ ଓହରି ଯିବାରୁ ଆଜି ଏହି ରାୟ ପ୍ରକାଶ ପାଇଛି।  ଏହି ମାମଲାର ତଦନ୍ତ ସର୍ବ ପ୍ରଥମେ ହାଇଦ୍ରାବାଦ ପୋଲିସ କରିଥିଲା।  ପୋଲିସ ନିଜର ତଦନ୍ତରେ କୌଣସି ମୁସଲିମ ସଂଗଠନର ନାମ ନେଇଥିଲା, ମାତ୍ର ଯେବେ ଏହି ମାମଲାର ତଦନ୍ତଭାର ସିବିଆଇ ପାଖକୁ ଗଲା ଏଥିରେ ହିନ୍ଦୁବାଦୀ ସଂଗଠନ ଅଭିନବ ଭାରତର ନାମ ସାମ୍ନାକୁ ଆସିଥିଲା। ଏହା ପରେ ୫ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା।  ସମସ୍ତ ଅଭିଯୁକ୍ତ ଦେବେନ୍ଦ୍ର ଗୁପ୍ତା, ଲୋକେଶ ଶର୍ମା, ସ୍ଵାମୀ ଅସୀମାନନ୍ଦ ଓରଫ ନବା କୁମାର ସରକାର, ଭାରତ ମୋହନଲାଲ ରତ୍ନେଶ୍ଵର ଓରଫ ଭାରତ ଭାଇ ଓ ରାଜେନ୍ଦ୍ର ଚୌଧୁରୀଙ୍କୁ ଏନଆଇଏର ସ୍ଵତନ୍ତ୍ର ଅଦାଲତ ଆଜି ଦୋଷ ମୁକ୍ତ କରିଛି। ଯେଉଁ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ସେମାନଙ୍କ ମଧ୍ୟରୁ ସ୍ଵାମୀ ଅସୀମାନନ୍ଦ ଓ ଭାରତ ମୋହନଲାଲ ରତ୍ନେଶ୍ଵର ଓରଫ ଭରତ ଭାଇ ଜାମିନରେ ଏବେ ବାହାରେ ଅଛନ୍ତି। ବାକି ୩ ଜଣ ଜେଲରେ ଅଛନ୍ତି।

ଏହି ମାମଲାକୁ ପ୍ରଥମେ ହାଇଦ୍ରାବାଦ ପୋଲିସ ତଦନ୍ତ କରୁଥିଲା। ପରେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଗଲା। ୨୦୧୧ରେ  ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା।  ଏହି ମାମଲାରେ ମୋଟ୍ ୧୬୦ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।  ଏଥିରୁ ୫୪ ସାକ୍ଷୀ ନିଜ ବୟାନରୁ ଓହରି ଯାଇଥିଲେ। ଏହି ଘଟଣାର ପୁରା ଶୁଣାଣି ସମୟରେ ୨୨୬ ସାକ୍ଷୀଙ୍କୁ ପଚରାଉଚୁରା କରାଯାଇଥିଲା ଏବଂ ୪୧୧ ପୃଷ୍ଠାର ରିପୋର୍ଟ ଉପସ୍ଥାପନ କରାଯାଇଥିଲା।