ମଙ୍ଗଳବାର ଠାରୁ ବିଧାନସଭା ଅଧିବେଶନ: ବିଭିନ୍ନ ପ୍ରସଙ୍ଗ ନେଇ ହଙ୍ଗାମା ହେବାର ସମ୍ଭାବନା

0
1044
Odisha-assembly
Odisha-assembly

ଭୁୁବନେଶ୍ୱର : ମଙ୍ଗଳବାର  ଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭା ଅଧିବେଶନ । ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ  ଶାସକ ବିଜେଡ଼ି ଦଳ କେନ୍ଦ୍ର ସରକାରଙ୍କୁୁ ଟାର୍ଗେଟ କରି ପାରେ ।  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ଅନ୍ଧ୍ରପ୍ରଦେଶର ତେଲଗୁ ଦେଶମ ପାର୍ଟି ଏନଡିଏ ସରକାରରୁ ବାହାରି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗକୁ ଦୋହରାଇଛନ୍ତି । ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଜାରି ରଖିବେ ବୋଲି କହିଛନ୍ତି ।

ବିଧାନସଭା ଅଧିବେଶନ ବେଳେ ରାଜ୍ୟର ବଡ଼ ବଡ଼ ପ୍ରସଙ୍ଗ ନେଇ ହଙ୍ଗାମା ହେବାର ସମ୍ଭାବନା ରହୁଛି । ଶାସକ ବିଜେଡ଼ି ଦଳ କେନ୍ଦ୍ର ସରକାରଙ୍କୁୁ ଟାର୍ଗେଟ କରି ପାରେ । ସେହିଭଳି ବିକାଶକୁ ଆଧାର କରି ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଇନ ଶୃଙ୍ଖଳା, କୃଷି, ଶିକ୍ଷା, ନିଯୁକ୍ତି, ନିଶା, ଭାଷା ପ୍ରସଙ୍ଗକୁ ଆଧାର କରି ବିଧାନସଭା ସରଗରମ ହେବାର ଅଧିକ ଆଶା ଦେଖାଯାଉଛି । ସେହିଭଳି ବିଧାନସଭାରେ ବିଜେପୁର ଉପ ନିର୍ବାଚନ, ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଓ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫଦାବି ପ୍ରସଙ୍ଗ ଉଠିପାରେ ।

ବିଧାନସଭା ପୂର୍ବରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବିଜେଡିର ବୈଠକ ହେବ । ସେହିଭଳି ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦଳ ପକ୍ଷରୁ ବିଧାନସଭାରେ କେଉଁ ପ୍ରସଙ୍ଗ ଉଠାଯିବ ତାହା ନିଷ୍ପତ୍ତି ହୋଇପାରେ ।

ରାଜ୍ୟପାଳ ଏସ.ସି. ଜମିରଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦ରେ ଶେଷ ହେବାକୁ ଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶାର ପରବତ୍ତୀ ରାଜ୍ୟପାଳ କିଏ ହେବେ ତାହା ଜଣାପଡ଼ି ନାହିଁ । ତେଣୁ ଯେ ପଯର୍ଯ୍ୟନ୍ତ ନୂଆ ରାଜ୍ୟପାଳ ଆସି ନଥିବେ ଜମିର ଏହି ଦାୟିତ୍ୱ ତୁଲାଇବେ । ଜମିର କିନ୍ତୁ ମଙ୍ଗଳବାର ତାଙ୍କର ଶେଷ ଅଭିଭାଷଣ ରଖିବେ । ଅନ୍ୟପକ୍ଷରେ ଚଳିତ ବିଧାନସଭା ଅଧିବେଶନରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ।