ମହାନଦୀ ପାଇଁ ମହାସଂଗ୍ରାମ : ଶୁଭାରମ୍ଭ କରିବେ ନବୀନ

0
916
bjd press brief
bjd press brief

ଭୁବନେଶ୍ୱର : ମହାନଦୀ ପାଇଁ ଓଡିଶାର ଦାବି ଏବଂ ସ୍ୱାର୍ଥ ହାସଲ ନ ହେବା ଯାଏଁ ମହାସଂଗ୍ରାମକୁ ବ୍ୟାପକ କରିବ ବିଜୁ ଜନତା ଦଳ । ଆସନ୍ତା ୧୬ ତାରିଖରେ ଝାରସୁଗୁଡାଠାରେ ଏହି ଅଭିଯାନର ଶୁଭାରମ୍ଭ କରିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଆନ୍ଦୋଳନ କରିବ ଦଳ । ଏହା ସହ ଓଡିଶାର ଦାବି ଏବଂ ସ୍ୱାର୍ଥ ହାସଲ ନ ହେବା ଯାଏଁ ଲଢେଇ ଜାରି ରଖିବ ବିଜୁ ଜନତା ଦଳ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା । ଆସନ୍ତା ୧୬ ତାରିଖରେ ଓଡିଶାରେ ମହାନଦୀର ପ୍ରବେଶସ୍ଥଳ ଝାରସୁଗୁଡାର ଲଖନପୁର ଏଭଂ ବରଗଡ ଜିଲ୍ଲାର ଆମ୍ବାଭୋଜା ବ୍ଲକର ଖିଲରିଠାରୁ ମହାନଦୀ ସଚେତନତା ଅଭିଯାନ ଆରମ୍ଭ କରିବ ବିଜେଡି । ସକାଳ ୯ଟା ସମୟରେ ଝାରସୁଗୁଡାଠାରେ ଏହି ଅଭିଯାନର ଶୁଭାରମ୍ଭ କରିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅଭିଯାନ ଝାରସୁଗୁଡା ଏବଂ ବରଗଡ ସମେତ ସମ୍ବଲପୁର, ସୁବର୍ଣ୍ଣପୁର, ବଉଦ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, କଟକ, ଖୋର୍ଧା, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର ଏବଂ ପୁରୀ ଜିଲ୍ଲାରେ ଅନୁଷ୍ଠିତ ହେବ । କାର୍ୟ୍ୟକ୍ରମ ସମୟରେ ଲୋକଙ୍କୁ ବିଭିନ୍ନ ପଥପ୍ରାନ୍ତ ସଭା ଏବଂ ନାଟକ ମାଧ୍ୟମରେ ସଚେତନ କରାଯିବ । ମହାନଦୀ ଅବବାହିକାରେ ଥିବା ସମସ୍ତ ବ୍ଲକରେ ପ୍ରଚାରପତ୍ର ଏବଂ ଲିଫଲେଟ୍ ବଂଟନ କରାଯିବା ସହ ଦେବାଦେବୀଙ୍କ ମନ୍ଦିରରେ ଦୀପଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଓଡିଶାର ହକ୍ ଏବଂ ସ୍ୱାଭିମାନକୁ ବଂଚାଇ ରଖିବା ପାଇଁ ଏହି ଅଭିଯାନରେ ଅନେକ ବୁଦ୍ଧିଜୀବୀ, ଛାତ୍ର ସଂଗଠନ, ମହିଳା ସଂଗଠନ, ଯୁବ ସଂଗଠନ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସାଭାପତି ଦେବୀ ମିଶ୍ରଙ୍କ ସମେତ ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଜେନା ଆଦି ଉପସ୍ଥିତ ଥିଲେ ।