ଏହି ପରିପ୍ରେକ୍ଷୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ମହାନଦୀକୁ ନେଇ କେବେ ବି ରାଜନୀତି କରୁନାହିଁ। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ପାଇଁ ମାଟି ବଡ଼ ନୁହେଁ ପାର୍ଟି ବଡ଼ ବୋଲି ସେ କହିଛନ୍ତି। ମହାନଦୀ ପ୍ରସଙ୍ଗରେ ଉକ୍ତି ରଖି ସେ ଆହୁରି ମଧ୍ୟ କହିଛନ୍ତି ଯେ, କଲମାରୁ ପାଣି ନଆସିବାରୁ ସ୍ଥାନୀୟ ଗାଁର ମତ୍ସ୍ୟଜୀବୀମାନେ ଗାଁ ଛାଡିଲେଣି। ଘୋର ଜଳ ସଙ୍କଟ ଯୋଗୁଁ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହୋଉଛି।
ଏହି ପ୍ରସ୍ତୁତି ବୈଠକରେ ଦଳର ସାଧାରଣ ସଂପାଦକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି, ବିଶେଷଜ୍ଞ ଓ ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି କୋଲକାତାରେ ଆନ୍ତଃରାଜ୍ୟ ଜଳବିବାଦ ବୈଠକ ଅନୁଷ୍ଠିତ ହେବାର ସ୍ଥିର ହୋଇଥିବା ବେଳେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଲିକତାରେ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେବେ।
ଅପରପକ୍ଷରେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଜେଡ଼ିର ମହାନଦୀ ମହାସମ୍ମିଳନୀ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଯୁବ ଛାତ୍ର ମହିଳା ରାଜ୍ୟ ସଭାପତି ଏବଂ ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତାମାନେ ଯୋଗଦେବେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଆଲୋଚନା କରିବେ ଏବଂ ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା ଫଳରେ ଏସବୁ ଜିଲ୍ଲାରେ ଜଳ ଶ୍ରୋତ କମିବା ଦ୍ୱାରା କି ପ୍ରଭାବ ପଡିବ ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ।