ପୁରୀ : ମହାପ୍ରଭୁଙ୍କର ବନକଲାଗି ନୀତି ଆଜି ଅପରାହ୍ନରେ ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଏହି ନୀତି ଆରମ୍ଭ ହେବ । ସେଥିପାଇଁ ଅପରହ୍ନ ୩ଟା ୩୦ରୁ ରାତି ୮ଟା ପର୍ୟ୍ୟନ୍ତ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ମଧ୍ୟାହ୍ନ ଧୁପ ସରିବା ପରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ । ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦିକୁ ବ୍ୟବହାର କରି ବନକ ପ୍ରସ୍ତୁତ କରାଯାଇଥାଏ । ଏହା ଶ୍ରୀମୁଖ ସିଂହାର କରାଯିବ । ଦତମହାପାତ୍ରଙ୍କ ସହ ପାଳିଆ ଖୁଂଟିଆ, ପାଳିଆ ପୂଜାପଣ୍ଡା, ଗରାବଡୁ, ଚାଙ୍ଗଡା ମେକାପ, ମୁଦୁଲି ସେବକମାନେ ସହାୟତା କରିଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସେହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିବା ସହିତ ସାଧାରଣ ଦର୍ଶନ ବନ୍ଦ ରହିବ । ନୀତିକାନ୍ତି ସମ୍ପାଦନ ପରେ ରାତି ୮ଟାରେ ଦ୍ୱାର ଫିଟା ହେବ ।