ପୁରୀ ଗଜପତି ମହାରାଜା ଦିବ୍ୟସିଂହଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୫ଟି ପ୍ରସ୍ତାବ ମାନ ହେଉଛି ପ୍ରଥମତଃ ଶୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ତିନୋଟି ମୁଖ୍ୟ ମଠ ଯଥା ଉତ୍ତର ପାର୍ଶ୍ୱ, ଦକ୍ଷିଣରେ ଥିବା ମଠ ଓ ଏମାର ମଠର ପୁନଃଉଦ୍ଧାର ଏବଂ ଜଗନ୍ନାଥଙ୍କ ପ୍ରଚାର। ଦ୍ୱିତୀୟତଃ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ, ଭିତର ବେଢାରେ ସ୍କନ୍ଦ ପୂରାଣ ସଂପର୍କିତ ଚିତ୍ର ନିର୍ମାଣ । ତୃତୀୟତଃ ଜଗନ୍ନାଥ ବଲ୍ଲଭ ମଠ ଉଦ୍ୟାନ ଓ ବଗିଚା ଉନ୍ନତିକରଣ, ମହାପ୍ରଭୁଙ୍କ ସଂସ୍କୃତି ପ୍ରଚାର ଓ ସୁନ୍ଦର ଉଦ୍ୟାନ ନିର୍ମାଣ, ଚତୁର୍ଥ ବଡ଼ଦାଣ୍ଡର ସୌନ୍ଦର୍ୟ୍ୟକରଣ ଏବଂ ଶେଷ ଯଥା ପଞ୍ଚମ ପ୍ରସ୍ତାବରେ ପୁରୁଷତ୍ତୋମ କ୍ଷେତ୍ର ପ୍ରବେଶ ସ୍ଥାନ ଅଠରନାଳର ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ଶ୍ରୀ ଦିବ୍ୟସିଂହ କହିଛନ୍ତି।
ଏହି ସମସ୍ତ ଯୋଜନାର ଉନ୍ନତିକରଣ ଓ ଗଠନ ବ୍ୟତିତ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତି କ୍ରମେ ସେବାୟତଙ୍କ ପାଇଁ ମଧ୍ୟ ୨ଟି ଯୋଜନା ଉପରେ ପ୍ରସ୍ତାବ ଦିଆଯାଇଛି। ଶ୍ରୀ ମନ୍ଦିର ଆଦର୍ଶ ଗୁରୁକୁଳମ୍ ଯଥା ସେବକଙ୍କ ପୁଅ ଓ ଝିଅଙ୍କୁ ମାଗଣାରେ ଶିକ୍ଷା ବ୍ୟବସ୍ଥା ଯୋଜନା ଉପରେ ଆଲୋଚନା ହୋଇଛି। ଏହି ଯୋଜନାରେ ଆଧୁନିକ ଶିକ୍ଷା ସହିତ ଶାତ୍ସୀୟ ଓ ପାରମ୍ପରିକ ଶିକ୍ଷା ମଧ୍ୟ ଅନ୍ତର୍ଭୃକ୍ତ ରହିବ। ଏହା ବାଦ୍ ମହାପ୍ରଭୁଙ୍କ ଦୈନିକ ସେବକମାନଙ୍କ ରହିବା ବ୍ୟବସ୍ଥା ବା ଏକ ନିବାସ ସ୍ଥାପନ କରିବା ପାଇଁ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ ।