ଯୁଯୁମରା ହାଜତ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

0
772
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ମୃତ ଅଭୟ ସିଂହଙ୍କ ପରିବାରକୁ ଏହି କ୍ଷତିପୂରଣ ଦେବା ପାଇଁ କମିଶନ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ନିଶା କାରବାର ଯୋଗୁଁ ଗିରଫ ହୋଇଥିବା ଅଭୟଙ୍କର ଥାନାରେ ମୃତ୍ୟୁ ଘଟିଥିଲା । ଏସମ୍ପର୍କରେ ୩ ଜଣ ମାନବାଧିକାର କର୍ମୀ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାକୁ ବିଚାରକୁ ନେଇ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦୧୭ ଜୁନ୍ ୧୯ ତାରିଖରେ ଗଞ୍ଜେଇ ବ୍ୟବସାୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଥିଲା । ମୃତ ଅଭୟ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ପଲମପୁର ଗାଁର ।  କୋର୍ଟକୁ ଯିବା ପୂର୍ବରୁ ଯୁଯୁମରା ପୋଲିସ୍ ଅଭୟଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତ କରିବା ପାଇଁ ରାଜ୍ୟ ମାନବାଧିକାର କମିଶନ ପୋଲିସ୍ ଏଡିଜି ଓ ଏଚଆରପିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।