ରତ୍ନଭଣ୍ଡାର କାନ୍ଥ ଓ ଛାତ ଦୁର୍ବଳ : ମୁଖ୍ୟ ପ୍ରଶସକ

0
909
p k jena
p k jena

ପୁରୀ  : ରତ୍ନଭଣ୍ଡାର କାନ୍ଥ ଓ ଛାତ ଦୁର୍ବଳ ଥିବା ଜଣାପଡିଛି। ଯାଞ୍ଚକାରୀ ଦଳ ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶସକ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ଆଜି ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବ ଆଶଙ୍କା ଅନୁସାରେ ରତ୍ନଭଣ୍ଡାର କାନ୍ଥ ଓ ଛାତ ଦୁର୍ବଳ ଥିବା ଜଣାପଡିଛି। ଯାଞ୍ଚକାରୀ ଦଳ କାନ୍ଥ ଓ ଛାତରେ ହାତମାରି ଦେଖିଥିଲେ। ଏହା ଓଦା ଲାଗିଥିଲା। ଯାଞ୍ଚକାରୀ ଦଳ ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶସକ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଦିନ ୨ଟା ୩୦ ମଧ୍ୟରେ ପ୍ରାଧିକୃତ ସଦସ୍ୟମାନେ ଯାଇଥିଲେ। ଆବଶ୍ୟକ ଯାଞ୍ଚ ପରେ ସଦସ୍ୟମାନେ ଭିତରକୁ ପ୍ରବେଶ କରିଥିଲେ। ଗଜପତିଙ୍କ ପ୍ରତିନିଧି, ନୀତି ପ୍ରଶାସକ, ଭଣ୍ଡାର ମେକାପ ଭଣ୍ଡାର ଘରର ତାଲା ଖୋଲିଥିଲେ। ଏହାପରେ ପ୍ରାଧିକୃତ ସଦସ୍ୟମାନେ ବାହାର ଭଣ୍ଡାରରେ ପ୍ରବେଶ କରି ସର୍ଚ୍ଚ ଲାଇଟରେ ଦେଖିଲେ।”

ସେ କହିଛନ୍ତି, “ବାହାର ଭଣ୍ଡାର ଭିତରେ ପ୍ରବଳ ଅଳନ୍ଧୁ ଥିଲା। ଝାଡ଼ୁ ମଗାଇ ସବୁ ସଫା କରାଗଲା। ପ୍ରାଧିକୃତ ସଦସ୍ୟମାନେ କାନ୍ଥ, ଛାତକୁ ହାତ ଲଗାଇ ଦେଖିଥିଲେ, କାନ୍ଥ ଓଦା ଥିଲା।”

ଭିତର ଭଣ୍ଡାରକୁ ଯାଞ୍ଚକାରୀ ଦଳ ନଯିବା ସମ୍ପର୍କରେ ଜେନା କହିଛନ୍ତି, “ବାହାର ରତ୍ନଭଣ୍ଡାରରୁ ଭିତର ଭଣ୍ଡାର ଦେଖି ହେଉଥିଲା। ଦୁଇ ଭଣ୍ଡାର ଭିତରେ ଥିବା ଜାଲିରେ ଭିତର ଭଣ୍ଡାରର କାନ୍ଥ, ଛାତ ସବୁ ସ୍ପଷ୍ଟ ଭାବେ ଦେଖି ହେଉଥିଲା। ସର୍ଚ୍ଚ ଲାଇଟ ଯୋଗେ ଇଂଜିନିୟରମାନେ ସବୁ ଯାଞ୍ଚ କରିଥିଲେ। ଜାଲି ବାଟେ କାନ୍ଥ, ଛାତ ଅନୁଧ୍ୟାନ କରି ହେଉଥିବାରୁ ଭିତରକୁ ଯିବା ଆବଶ୍ୟକ ହେଲାନି।” କୋର କମିଟି ସଦସ୍ୟ ଓ ଏଏସ୍ଆଇ ଯାଞ୍ଚର ବିସ୍ତୃତ ରିପୋର୍ଟ ଦେବ। ସମସ୍ତ ରିପୋର୍ଟ ୫ ତାରିଖରେ ହାଇକୋର୍ଟଙ୍କୁ ଦିଆଯିବ ବୋଲି ଜେନା କହିଛନ୍ତି। କୋର କମିଟି ସଦସ୍ୟ ଜିସି ମିତ୍ର ଆହତ ହୋଇ ନଥିବା ଜେନା ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ରତ୍ନ ଭଣ୍ଡାର ଭିତରକୁ ଯିବାକୁ ୧୭ ଜଣଙ୍କ ତାଲିକା ହୋଇଥିଲା। କେବଳ ପୁରୀ ଏସ୍‌ପି ଭିତରକୁ ଯାଇ ନଥିଲେ। ସେ ଗାମୁଛା ପିନ୍ଧି ନଥିବାରୁ ରତ୍ନଭଣ୍ଡାର ଭିତରକୁ ଗଲେନାହିଁ।