ରାଜ୍ୟଗୋଷ୍ଠୀ କ୍ରୀଡା: ପୁନିଆ ସ୍ଵର୍ଣ୍ଣ, ପୂଜା-ମୌସମଙ୍କୁ ରୌପ୍ୟ

0
959
bajrang punia
bajrang punia

ଗୋଲ୍ଡ କୋଷ୍ଟ :  ଭାରତୀୟ ରେସଲର ବଜରଙ୍ଗ ପୁନିଆ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ମୌସମ ଖତ୍ରି ପୁରୁଷ ବର୍ଗରେ ୯୭ କିଗ୍ରା ଫ୍ରିଷ୍ଟାଇଲରେ ରୌପ୍ୟ , ମହିଳା ୫୭ କିଗ୍ରାରେ  ଫାଇନାଲରେ ପୂଜା ଢାଂଢା ରୌପ୍ୟ   ପଦକ ଜିତିଛନ୍ତି।

ସୁଟରଙ୍କ ପରେ ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତୀୟ ରେସଲର ନିଜର ଦମ ଦେଖାଇଛନ୍ତି। ପୁରୁଷ ୬୫ କିଗ୍ରା ଓଜନରେ ବଜରଙ୍ଗ ପୁନିଆ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।  ମ୍ୟାଚ୍ ଆରମ୍ଭରୁ ସେ  ଓ୍ଵେଲ୍ସର ପ୍ରତିଦ୍ଵନ୍ଦୀଙ୍କ ବିରୋଧରେ ଆକ୍ରମଣାତ୍ମକ ନୀତି ଆପଣେଇଥିଲେ। ବଜରଙ୍ଗ ଟେକ୍ନିକଲ ସୁପରିୟୋରିଟି ଆଧାରରେ  ୧୦-୦ରେ ନିଜର ପ୍ରତିଦ୍ଵନ୍ଦୀଙ୍କୁ ମାତ୍ ଦେଇଥିଲେ। ଖେଳର କିଛି ମିନିଟ୍ ପରେ ତାଙ୍କୁ ବିଜୟୀ ଘୋଷିତ କରାଯାଇଥିଲା।  ଏହା ପୂର୍ବରୁ ବଜରଙ୍ଗ ପୁନିଆ ସେମି ଫାଇନାଲରେ କାନାଡାର ଭିସେଣ୍ଟ ଡି ମରିସିନଙ୍ିକୁ ୧୦-୦ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।  ଏଥି ସହ  ମୌସମ ଖତ୍ରି ପୁରୁଷ ବର୍ଗରେ ୯୭ କିଗ୍ରା ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ଜିତିଛନ୍ତି।  ସେମି ଫାଇନାଲରେ ସେ ନାଇଜେରିଆର ସୋସୋ ତମାରାଓଙ୍କୁ ୧୦-୦ରେ ହରାଇଥିଲେ। ମାତ୍ର ନିର୍ଣ୍ଣାୟକ ମୁକାବିଲାରେ ସେ ଦକ୍ଷିଣ ଆଫ୍ରିକାର ମାର୍ଟିନ ଇରାସମସଙ୍କଠୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।  ଅପର ପକ୍ଷେ ମହିଳା ୫୭ କିଗ୍ରାରେ  ଫାଇନାଲରେ ଭାରତର ରେସଲର ପୂଜା ଢାଂଢାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରୋମାଞ୍ଚକର ଫାଇନାଲ ମୁକାବିଲାରେ ସେ ନାଇଜେରିଆର ପହଲମାନଙ୍କଠୁ ପରାଜିତ ହୋଇଛନ୍ତି। ମହିଳା ୬୮ କିଗ୍ରାରେ ଦିବ୍ୟା କାକରାନ ଭାରତକୁ କାଂସ୍ୟ ପଦକ ଦେଇଛନ୍ତି।  ବାଂଲାଦେଶୀ ପ୍ରତିଦ୍ଵନ୍ଦୀ ସେରିନ ସୁଲତାନଙ୍କୁ ୩୦ ସେକେଣ୍ଡରେ ୫-୦ରେ ମାତ୍ ଦେଇ ସେ କାଂସ୍ୟ ପଦକ ଜିତିଛନ୍ତି।

ଏହି ପରି ରାଜ୍ୟଗୋଷ୍ଠୀ କ୍ରୀଡାର ନବମ ଦିନରେ ଭାରତର ମୋଟ୍ ପଦକ ସଂଖ୍ୟା ୩୯ରେ ପହଞ୍ଚିଛି। ୧୭ଟି ସ୍ଵର୍ଣ୍ଣ ସହ ଭାରତ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏହା ସହିତ ଭାରତ ୧୦ ରୌପ୍ୟ ଓ ୧୨ଟି କାଂସ୍ୟ ପଦକ ଜିତିଛି। ଏହା ସହିତ ଭାରତ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାର ରେକର୍ଡ ଭାଙ୍ଗିଛି। ସେହି କ୍ରୀଡାରେ ଭାରତ ୧୫ଟି ସ୍ଵର୍ଣ୍ଣ ଜିତିଥିଲା। ମାତ୍ର ଏହି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ଚତ୍ମକାର ପ୍ରଦର୍ଶନକୁ ଦେଖି ଲାଗୁଛି ଯେ ଭାରତ ଆହୁରି ସ୍ଵର୍ଣ୍ଣ ପଦକ ଜିତିପାରେ।  ଏହା ପୂର୍ବରୁ ଆଜି ସର୍ବ ପ୍ରଥମେ ତେଜସ୍ଵିନି ସାଓ୍ଵନ୍ତ ସୁଟିଂରେ ଭାରତକୁ ସ୍ଵର୍ଣ୍ଣ ପଦକ ଜିତାଇଥିଲେ।  ଏହା ପରେ ପୁଣି ସେହି ସୁଟିଂରେ  ଭାରତକୁ ଅନୀଶ ଭାନବାଲ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ଦେଇଥିଲେ।  ମାତ୍ର ୧୫ ବର୍ଷୀୟ ଅନୀଶ ରେକର୍ଡ ପ୍ରଦର୍ଶନ କରି ୨୫ ମିଟର  ରାପିଡ ଫାୟର ପିସ୍ତଲରେ ରାଜ୍ୟଗୋଷ୍ଠୀ କ୍ରୀଡାର ରେକର୍ଡ ଧ୍ଵସ୍ତ କରିଛନ୍ତି। ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାବେ ସେ ସବୁଠୁ କମ ବୟସରେ ସ୍ଵର୍ଣ୍ଣ ଜିତିବାରେ ରେକର୍ଡ କରିଛନ୍ତି।