ରାଜ୍ୟଗୋଷ୍ଠୀ କ୍ରୀଡା : ଭାରତ ଜିତିଲା ମୋଟ୍ ୬୬ ପଦକ

0
882
india at CWG-2018.
india at CWG-2018.

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରୁ ମୋଟ୍ ୬୬ଟି ପଦକ ଜିତିଛି। ଏଥିରେ ୨୬ଟି ସ୍ଵର୍ଣ୍ଣ , ୨୦ ରୌପ୍ୟ ଓ ୨୦ କାଂସ୍ୟ ପଦକ ରହିଛି।  ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାଠୁ ଏଥର ଭାରତ ୨ଟି ପଦକ ଅଧିକ ଜିତିଛି।  ଗ୍ଲାସଗୋରେ  ଭାରତ ୬୪ଟି ପଦକ ଜିତିଥିଲା।

ଗୋଲ୍ଡ କୋଷ୍ଟରେ ଭାରତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ପଦକ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏଠାରେ ଭାରତ ମୋଟ୍ ୧୫ଟି ଖେଳରେ ଭାଗନେଇ ୯ଟି ଖେଳରୁ ପଦକ ଜିତି ପାରିଛି।  ଉଲ୍ଲେଖଯୋଗ୍ୟ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ମୋଟ୍ ୧୦୧ ପଦକ ଜିତିଥିଲା। ୨୦୦୨ ମାଞ୍ଚେଷ୍ଟର କ୍ରୀଡ଼ାରେ ଦଳ  ୬୯ ପଦକ ଜିତିଥିଲା। 

 ସୁଟିଂରେ ଏଥର ଭାରତୀୟ ସୁଟର ୭ଟି ସ୍ଵର୍ଣ୍ଣ ସମେତ ମୋଟ୍ ୧୬ଟି ପଦକ ଜିତିଛନ୍ତି। ଅନିଶ ଭାନଓ୍ଵାଲା, ମେହୁଲ ଘୋଷ ଓ ମନୁ ଭାକର ପରି ଯୁବ ସୁଟରଙ୍କ ବ୍ୟତୀତ ହିନା ସିଦ୍ଧୁ, ଜିତୁ ରୟ ଓ ତେଜସ୍ଵିନୀ ସାଓ୍ଵନ୍ତଙ୍କ ପରି ଅନୁଭବୀ ସୁଟର ମଧ୍ୟ ଭାରତ ପାଇଁ ପଦକ ଜିତିଛନ୍ତି। 

ଭାରତ ଭାରୋତ୍ତୋଳନରେ ମୋଟ୍ ୯ଟି ପଦକ ଜିତିଛି।  ଏଥିରେ ୫ଟି ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ରହିଛି।  ମିରାବାଇ ଚାନୁ. ସଞ୍ଜିତା ଚାନୁ ଭାରତକୁ ସ୍ଵର୍ଣ୍ଣ ଦେଇଛନ୍ତି।  ଏହା ବ୍ୟତୀତ ପୁନମ ଯାଦବ  ମଧ୍ୟ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। 

cwg

କୁସ୍ତିରେ ଭାରତୀୟ ଖେଳାଳି ନିରାଶ କରି ନାହାନ୍ତି।  ଏହି ଇଭେଣ୍ଡରେ ଭାରତ ୫ଟି ସ୍ଵର୍ଣ୍ଣ, ତିନୋଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସମେତ ମୋଟ୍ ୧୨ଟି ପଦକ ନିଜ ନାମରେ କରିଛି। ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ସାକ୍ଷୀ ମଲିକ, ସୁମିତ ପରି ପେହଲବାନ ନିଜ ନିଜ ବର୍ଗରେ ଭାରତକୁ ପଦକ ଦେଇଛନ୍ତି। 

ବ୍ୟାଡମିଣ୍ଟନରେ ଭାରତ ମୋଟ୍ ୬ଟି ପଦକ ନିଜ ନାମରେ କରିଛି। ଭାରତ ମିକ୍ସ ଇଭେଣ୍ଟରେ ସ୍ଵର୍ଣ୍ଣ ଓ ମହିଳା ଏକକ ବର୍ଗରେ ସାଇନା ନେହଓ୍ଵାଲା ନିଜ ଦେଶର ପିଭି ସିନ୍ଧୁଙ୍କୁ ମାତ୍ ଦେଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।  ପୁରୁଷ ଏକକ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଫାଇନାଲରେ ଅଲିମ୍ପିକର ରୌପ୍ୟ ବିଜେତା ମାଲେସିଆର ଲି ଚେଙ୍ଗ ଓ୍ଵେଇଙ୍କଠୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। 

ଟେବୁଲ ଟେନିସରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି।  ଏହା ବ୍ୟତୀ ମହିଳା ଏକକ ବର୍ଗେ ମଣିକା ବତ୍ରା ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଯୁଗଳ ଓ ମହିଳା ଯୁଗଳ ମୁକାବିଲାରେ ଭାରତକୁ ରୌପ୍ୟ  ପଦକ ମିଳିଛି। 

ବକ୍ସିଂରେ ଭାରତ ମୋଟ୍ ୯ଟି ପଦକ ଜିତିଛି। ଏଥିରେ ତିନୋଟି ସ୍ଵର୍ଣ୍ଣ, ତିନୋଟି ରୌପ୍ୟ ଓ ତିନୋଟି କାଂସ୍ୟ ପଦକ ରହିଛି।

ଆଥଲେଟିକ୍ସରେ ଭାରତ ନିଜ ନାମରେ ୩ଟି ପଦକ ରହିଛି। ନିରଜ ଚୋପ୍ରା ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।  ଅନ୍ୟ ପଟେ ସୀମା ପୁନିଆ ଡିସକସ ଥ୍ରୋରେ ରୌପ୍ୟ ଓ ନବଦୀପ ଢିଲୋ କାଂସ୍ୟ ପଦକ ଜିତିଛନ୍ତି।  ଭାରତୀୟ ହକି ଦଳ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ନିରାଶଜନକ ରହିଛି।