ରାଜ୍ୟସଭାକୁ ମନୋନୀତ ହେବା ପରେ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

0
999
dharmendra pradhan
dharmendra pradhan
ଭୁବନେଶ୍ୱର : ଦ୍ୱିତୀୟ ଥର ସାଂସଦ ହୋଇ ରାଜ୍ୟସଭାକୁ ମନୋନୀତ ହେବା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ହଜାର ହଜାର ବିଜେପି କାର୍ଯ୍ୟକର୍ତା ଓ ସାଧାରଣ ଜନତା ବିମାନ ବନ୍ଦରରୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଏକ ବିଶାଳ ପଟୁଆରରେ ଶ୍ରୀ ପ୍ରଧାନଙ୍କୁ ଆଣିଥିଲେ।

ଜନ ଆନ୍ଦୋଳନ ଓ ଜନ ଜାଗରଣକୁ ଆଧାର କରି ଓ ମୋଦିଙ୍କ ଜନ ପ୍ରିୟତା ଓ ଦୂରଦୃଷ୍ଟି ସମ୍ପନ୍ନ ବିକାଶ ନୀତି ମାଧ୍ୟମରେ ରାଜ୍ୟର ଯୁବକ,ମା- ଭଉଣୀ, ଚାଷୀ ଭାଇ, ଦଳିତ, ଆଦିବାସୀଙ୍କ ବିକାଶ ପାଇଁ ସଂଘର୍ଷ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଥମ ରାଜ୍ୟସଭାକୁ ନିର୍ବାଚିତ ହେଲା ବେଳେ ଓଡିଶାର ସ୍ୱାର୍ଥ ଓ ବିକାଶ ପାଇଁ କଣ କରି ପାରିବେ ବା ନ କରି ପାରିବେ ଭିନ୍ନ କଥା ମାତ୍ର ସାଢେ ଚାରି କୋଟି ଓଡିଆ ଲୋକଙ୍କର ମୁଣ୍ଡକୁ ସେ ନୂଆଇଁବାକୁ ସେ କେବେ ଦେବେ ନାହିଁ ବୋଲି କହିଥିଲେ । ପୁଣି ଦ୍ୱିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ ସମାନ କଥାକୁ ସେ ଓଡିଶାବାସୀଙ୍କ ପାଖରେ ଦୋହରାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସାଢେ ଚାରି କୋଟି ଓଡିଆଙ୍କୁ ସମ୍ମାନ ସଦୃଶ ତାଙ୍କୁ ଯେଉଁ ସମ୍ମାନ ଦିଆଯାଇଛି ସେ ଏହାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସମର୍ପଣ କରି ଓଡିଶାର ବିକାଶ ପାଇଁ ନିଜକୁ ସମର୍ପିତ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବିଜେପୁର ପରାଜୟକୁ ସ୍ୱୀକାର କରିବା ସହ ଏହି ଉପ ନିର୍ବାଚନ ବିଜେପିକୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଥିବାର ବାର୍ତା ଦେଇଥିବାରୁ ଦଳର ଦାୟିତ୍ୱ ମଧ୍ୟ ବେଶ ବଢି ଯାଇଛି। ବିଜେପୁରରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ଲଢି ଯେତିକି ଭୋଟ ପାଇଥିଲେ ବିଜେପୁର ଉପ ନିର୍ବାଚନରେ ବିଜେଡିକୁ ଠିକ ସେତିକି ଭୋଟ ମିଳିଛି । ମାତ୍ର ବିଜେପିର ୨୦୧୪ ମସିହାରେ ୩୦ ହଜାର ଭୋଟ ଉପ ନିର୍ବାଚନରେ ୬୨ ହଜାର ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପଂଚାୟତ ନିର୍ବାଚନରେ ବିଜେପି ୩୩-୩୪ ପ୍ରତିଶତ ଭୋଟ ହାସଲ କରିଥିବା ବେଳେ ବିଜେପୁର ଉପ ନିର୍ବାଚନରେ ମଧ୍ୟ ସେତିକି ପ୍ରତିଶତ ଭୋଟ ହାସଲ କରିଛି । ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଥିବା କଂଗ୍ରେସ ଶେଷ ହୋଇ ଯାଉଥିବା ବେଳେ ବିଜେପି ହିଁ ପ୍ରମୁଖ ବିରୋଧୀ ଦଳ ଭାବେ ଗଣତନ୍ତ୍ରରେ ସରକାରଙ୍କ ଦୋଷ ଦୁର୍ବଳତା ବିରୁଦ୍ଧରେ ଓଡିଆ ଲୋକଙ୍କ ସ୍ୱାର୍ଥର ସଂଘର୍ଷ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

ଗତକାଲି ଅଣ ବିଜେପି ମେଣ୍ଟରେ ସାମିଲ ହେବା ନେଇ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନର ବା ଗୁଞ୍ଜରେ ଅଶ୍ୱତଥାମା ହତ ଭଳି ବୟାନ ଦେଇ କଂଗ୍ରେସ ସହ ତାଙ୍କର ମେଣ୍ଟର ପୂର୍ବ ସୂଚନା ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଖାରବେଳଙ୍କ ଠାରୁ ଭୀମଭୋଇ, ମଧୁବାବୁ, ଗୋପବନ୍ଧୁ, ନେତାଜୀ, ସୁରେନ୍ଦ୍ର ସାଏ, ରମା ଦେବୀ, ମାଳତୀ ଚୌଧୁରୀ ଦେଇ ମହତାବଙ୍କ ପର୍ଯ୍ୟନ୍ତ ଓଡିଶାର ସୁଯୋଗ୍ୟ ସନ୍ତାନ ମାନଙ୍କର ସ୍ୱପ୍ନର ନୂଆ ଓଡିଶା ଗଢିବା ପାଇଁ ବିଜେପି ଓଡିଶାର ଯୁବଶକ୍ତିକୁ ନେଇ କାମ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।