ରାଜ୍ୟ ସଭା ନିର୍ବାଚନ : ଜାରି ହେଲା ବିଜ୍ଞପ୍ତି

0
855

ଭୁବନେଶ୍ୱର: ତିନୋଟି ରାଜ୍ୟସଭା ଆସନ ପାଇଁ ସୋମବାର ବିଧିବଦ୍ଧ ଭାବେ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟସଭାରେ କାର୍ୟ୍ୟକାଳ ପୁରିବାକୁ ଥିବା ଆସନ ପାଇଁ ଆସନ୍ତା ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ ।

ଏପ୍ରିଲ ୩ରେ ଓଡ଼ିଶାର ଏଭି ସ୍ୱାମୀ, ଅନଙ୍ଗ ଉଦୟ ସିଂହ ଦେଓ ଓ ଦିଲ୍ଲିପ ତୀର୍କିଙ୍କ କାର୍ୟ୍ୟକାଳ ଶେଷ ହେଉଛି । ଏହି ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ଆସନ୍ତା ୧୨ ସୁଦ୍ଧା ଭା.ପ୍ର.ସେ ନିର୍ଦ୍ଦେଶକ ପାଟିଲ ରାଜେଶ ପ୍ରଭାକର, ନିୟୋଜନ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ରିଟର୍ଣ୍ଣଂ ଅଧିକାରୀ କିମ୍ବା ଉପସଚିବ ତଥା ସହାୟକ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ । ପ୍ରାର୍ଥୀମାନେ ମାର୍ଚ୍ଚ ୧୩ରେ ନାମାଙ୍କନ ପତ୍ର ଦାଖଲ ଓ ୧୫ ତାରିଖ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ ଟା ମଧ୍ୟରେ ବିଧାନସଭା ସଚିବାଳୟ କମିଟି ପ୍ରକୋଷ୍ଠ ନଂ-୫୪ରେ ମତଦାନ ହେବ । ତେବେ ଚଳିତ ଥର ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡ଼ି ଦଳ ନିଜର ପ୍ରାର୍ଥୀ ଦେବ । ଏଥର କେବଳ ରାଜନୈତିକ ଲୋକଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସ୍ପଷ୍ଟ ଭାବରେ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବାପରେ ଏବେ ମୁଖ୍ୟମନ୍ତ୍ରୀ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଦେଖିବାକୁ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ବର୍ଷ ୫୮ଟି ରାଜ୍ୟସଭା ଆସନର କାର୍ୟ୍ୟକାଳ ପୂରିବ । ଉତ୍ତର ପ୍ରଦେଶରୁ ୧୦, ମହାରାଷ୍ଟ୍ର ଓ ବିହାରର ୬ଟି ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକର ୪ଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଓ ରାଜସ୍ଥାନର ୩ଟି ଲେଖାଏଁ ଆସନ ଖାଲି ପଡ଼ିବ । ସେହିପରି ଝାଡ଼ଖଣ୍ଡର ୨ଟି ଏବଂ ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ଖାଲି ହେବ ।