ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୭୧ ପ୍ଲାଟୁନ ଫୋର୍ସ

0
790
President-Ramn
President-Ramn
ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା କଡାକଡି ହେବ  । ସୁରକ୍ଷା ଦାୟିତ୍ୱରେ ୨୭ ଜଣ ଏସିପି, ଇନ୍ସପେକ୍ଟରଙ୍କ ସହ ୨୦୦ ଏସ୍ଆଇ ମଧ୍ୟ ନିୟୋଜିତ ହେବେ। ଏଥିସହ ମୋଟ ୭୧ ପ୍ଲାଟୁନ ଫୋର୍ସ ମୁତୟନ ହେବା ନେଇ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।
 ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପାଇଁ ଚଳଚଂଚଳ ହୋଇ ଉଠିଛି କମିସନରେଟ୍ ପୋଲିସ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ଜଣେ ଆଇଜି ପାହ୍ୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।   ୧୭ ତାରିଖ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ସେ ଭୁବନେଶ୍ଵରେ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ  ଗାର୍ଡ ଅଫ ଅନର ଦିଆଯିବ। ଏହା ପରେ ମଧ୍ୟାହ୍ନ ୧୧ଟା ୫୫ରୁ ୧୨ଟା ୧୦ ମଧ୍ୟରେ କଟକର ନେତାଜୀଙ୍କ ବାର୍ଥ ପ୍ୟାଲେସ ମ୍ୟୁଜିୟମ ପରିଦର୍ଶନ କରିବେ। ୧୨ଟା ୧୫ରୁ ୧ଟା ମଧ୍ୟରେ ରାଷ୍ଟ୍ରପତି କୋବିନ୍ଦ କଟକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବାସଭବନ ଆନନ୍ଦଭବନ ସଂଗ୍ରହାଳୟ, ତୁଳସୀପୁର ଲର୍ଣ୍ଣି ସେଂଟରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେହିଦିନ ସେ ଅପରାହ୍ନ ୧ଟା ୧୫ରୁ ୩ଟା ୨୫ ପର୍ୟ୍ୟନ୍ତ କଟକ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅପରାହ୍ନ ୩ଟା ୩୦ ରୁ ୪ଟା ୧୫ ପର୍ୟ୍ୟନ୍ତ କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବେ। ଏହା ପରେ ରାଷ୍ଟ୍ରପତି ପୁରୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ରାଜ୍ୟପାଳ ଏସ ସି ଜମିର  ପୁରୀ ରାଜଭବନରେ ରାଷ୍ଟପ୍ରତିଙ୍କୁ ଆତିଥ୍ୟ ପ୍ରଦାନ କରିବେ। ରାଜଭବନରେ ରାଷ୍ଟ୍ରପତିଙ୍କ  ପ୍ରୀତିଭୋଜନର ବନ୍ଦୋବସ୍ତ ମଧ୍ୟ ହୋଇଛି। ସେହିପରି ୧୮ ତାରିଖ ଦିନ ସକାଳ ୭ଟା ୩୦ ରୁ ୮ଟା ୧୫ ପର୍ୟ୍ୟନ୍ତ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ମନ୍ଦିର ପରିଦର୍ଶନ କରିବେ। ଏହା ପରେ ପୂର୍ବାହ୍ନ ୧୦ଟାରୁ ୧୦ଟା ୪୫ ପର୍ୟ୍ୟନ୍ତ ପୁରୀର ସଂସ୍କୃତ ସଂସ୍ଥାନ ସଦାଶିବ ପରିସରରେ ଅନୁଷ୍ଠିତ ଶତବାର୍ଷିକ ଉତ୍ସବରେ ଯୋଗ ଦେବେ । ଏନେଇ ମାନବ ସମ୍ବଳ ବିଭାଗ ଦ୍ୱାରା ଡିମଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ସଂସ୍ଥାନ ତଥା ପୁରୀ ଚଳଚଂଚଳ ହୋଇ ଉଠିଛି । ପୁରୀରେ କାର୍ୟ୍ୟକ୍ରମ  ଶେଷ ପରେ ରାଷ୍ଟ୍ରପତି ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିବେ।  ଏହି କ୍ରମରେ ରାଷ୍ଟ୍ରପତି ଅପରାହ୍ନ ୧ଟାରୁ ୨ଟା ପର୍ୟ୍ୟନ୍ତ ଭୁବନେଶ୍ଵର ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଜଙ୍କ ସହିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ।  ଏହା ପରେ  ଅପରାହ୍ନ ୩ଟା ୩୦ ରୁ ୪ଟା ୪୫ ମଧ୍ୟରେ ଭୁବନେଶ୍ଵର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।  ଏଠାରେ ଭିଡିଓ କନଫରେନ୍ସିଂ ଜରିଆରେ  ଆଇସିଟି-ଆଇଓସି ଭୁବନେଶ୍ଵର କ୍ୟାମ୍ପସର ଉଦଘାଟନ କରିବେ।  ଏହା ସହିତ ଆଇଆଇଟି ପରିସରରେ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚିୟୁଟର ଶିଳାନ୍ୟାସ କରିବେ। ରାଷ୍ଟ୍ରପତିଙ୍କ ଏହି ଦୁଇ ଦିନିଆ ଗସ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ସମେତ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରତି ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି ।