ନୂଆଦିଲ୍ଲୀ : କ୍ୟାସ୍ ରିଜର୍ଭ ରେସିଓ ଅର୍ଥାତ ସିଆରଆରକୁ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥି ବର୍ଷରେ ବିକାଶ ଦରକୁ ୭.୨ ପ୍ରତିଶତରୁ ବୃଦ୍ଧି କରି ୭.୪ ପ୍ରତିଶତ ରଖିଛନ୍ତି। ୬ ସଦସ୍ୟ ବିଶିଷ୍ଟ ମୌଦ୍ରିକ ସମିତି ଅନୁସାରେ ବୃଦ୍ଧି ଦରରେ ସୁଧାର ଆସୁଛି ଏବଂ ଉତ୍ପାଦନର ବ୍ୟବଧାନ ହ୍ରାସ ପାଉଛି। ବିଶ୍ଵ ବଜାରରେ ଅଶୋଧିତ ତୈଳ ଦରର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏମପିସି ଦ୍ଵାରା ସୁଧ ଦର କମ କରାଯାଇ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମୌଦ୍ରିକ ନୀତି ସମିତିର ବୈଠକ ପରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହାନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟକୁ ୬.୦ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୫.୭୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେକଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକ ଉପରେ ସାରା ଦେଶବାସୀଙ୍କ ନଜର ରହିଥିଲା। କାରଣ ଦେଶବାସୀ ଋଣ ଉପରେ ସୁଧ ଦର କମ ହେବା ନେଇ ଆଶା ପ୍ରକଟ କରୁଥିଲେ। କିନ୍ତୁ ଏଥର ମଧ୍ୟ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ କମ ସୁଧରେ ଋଣ ପାଇବା ପାଇଁ ଲୋକଙ୍କୁ ଆହୁରି ସମୟ ଅପେକ୍ଷା କରିବାକୁ ପଡ଼ିବ। ଏମପିସି ଫେବୃଆରୀ ୬-୭ରେ ହୋଇଥିବା ନିଜର ପୂର୍ବ ବୈଠକରେ ଦରବୃଦ୍ଧିର କାରଣ ଦର୍ଶାଇ ସୁଧ ଦରରେ କୌଣସି ପ୍ରକାର ପରିବର୍ତ୍ତନ କରିନଥିଲା। ଆରବିଆଇ ଏହି ବୈଠକରେ ରେପା ରେଟକୁ ୬ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୫.୭୫ ପ୍ରତିଶତରେ ରଖିଥିଲେ। ମୌଦ୍ରିକ ନୀତି ସମିତିରେ ସରକାର ଦ୍ଵାରା ନାମିତ ସଦସ୍ୟଙ୍କ ମଧ୍ୟରେ ଚେତନ ଘାଟେ, ପାମି ଦୁଆ, ରବୀନ୍ଦ୍ର ଏଚ ଢୋଲକିଆ ସାମିଲ ଅଛନ୍ତି। ଅନ୍ୟ ପଟେ ରିଭର୍ଭ ବ୍ୟାଙ୍କ ପକ୍ଷରୁ ଗଭର୍ଣ୍ଣର ଉର୍ଜିତ ପଟେଲ, ମୌଦ୍ରିକ ନୀତି ପ୍ରଭାରୀ ଡେପୁଟୀ ଗଭର୍ଣ୍ଣର ବିରଲ.ଏ. ଆଚାର୍ୟ୍ୟ ଓ ବ୍ୟାଙ୍କର କାର୍ୟ୍ୟକାରୀ ନିର୍ଦ୍ଦେଶକ ମିସେଲ ଡି ପାତ୍ର ଏହାର ସଦସ୍ୟ। ବ୍ୟାଙ୍କ ଗୁଡିକୁ ରିଜର୍ଭ ବ୍ୟାଙ୍କ ଋଣ ଦେବାରେ ଯେଉଁ ସୁଧ ଲଗାଇଥାଏ ତାହାକୁ ରେପୋ ରେଟ୍ କୁହାଯାଏ। ବ୍ୟାଙ୍କ ଏହି ଋଣକୁ ଗ୍ରାହକଙ୍କୁ ଲୋନ ଆକାରରେ ଦେଇଥାଏ। ରେପୋ ରେଟ୍ କମ ହେବା ଅର୍ଥ ବ୍ୟାଙ୍କରୁ ମିଳିବାକୁ ଥିବା ସମସ୍ତ ଋଣ ଉପରେ ସୁଧ ହ୍ରାସ ପାଏ।