ଲ୍ୟାଣ୍ଡମାଇନ ବିସ୍ଫୋରଣ: ୩ ମୃତ

0
708
landmine explosion
landmine explosion

ଭୁୁବନେଶ୍ୱର :  ନବରଙ୍ଗପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ।  ଇନ୍ଦିରା ଆବାସ ପାଇଁ କିଛି ସାମଗ୍ରୀ ନେଇ ମଧ୍ୟାହ୍ନ ୧୨ଟାରେ ଭେନସ ଗାଁକୁ ଫେରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ରୋପଣ କରାଯାଇଥିବା ଲ୍ୟାଣ୍ଡମାଇନର ଶିକାର ହୋଇଥିଲେ ।

ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ସୋମବାର ମାଓବାଦୀମାନେ ନବରଙ୍ଗପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ୩ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର ଅଧୀନ ଭେନସ ଜଙ୍ଗଲରେ ସୋମବାର ସକାଳୁ ହୋଇଥିବା ଏହି ଘଟଣାରେ ଗଞ୍ଜାପାଲି ପଞ୍ଚାୟତ ଅନ୍ତର୍ଗତ ଲାଲମାଟି ଗାଁର ଲଂଛୁ ଗଣ୍ଡ (୨୦), ମାରଙ୍ଗପାଲି ଗାଁର ଭରତ ଜାନୀ (୧୮) ଓ ଦଶରଥ ଜାନୀ(୧୯) ପ୍ରାଣ ହରାଇଛନ୍ତି । ଏମାନେ ସମସ୍ତେ ଏକ ନମ୍ବର ବିହୀନ ଟ୍ରାକ୍ଟର ନେଇ ପଡ଼ୋଶୀ ଛତିଶଗଡ଼ର ଗହରମୁଣ୍ଡି ଯାଇଥିଲେ । ଇନ୍ଦିରା ଆବାସ ପାଇଁ କିଛି ସାମଗ୍ରୀ ନେଇ ମଧ୍ୟାହ୍ନ ୧୨ଟାରେ ଭେନସ ଗାଁକୁ ଫେରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ରୋପଣ କରାଯାଇଥିବା ଲ୍ୟାଣ୍ଡମାଇନର ଶିକାର ହୋଇଥିଲେ ।  କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡ଼ିଥିବା ଗୋଟିଏ ଗଛ ଡାଳରେ କପଡ଼ା ବନ୍ଧା ହୋଇଥିବା ସେମାନେ ଦେଖିଥିଲେ । ଟ୍ରାକ୍ଟରକୁ ଅଟକାଇ ବନ୍ଧା ହୋଇଥିବା କପଡ଼ାକୁ ଫିଟାଇବା ସମୟରେ ତାହା ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ମାତ୍ରା ଏତେ ଭୟଙ୍କର ଥିଲା ଯେ, ୩ଜଣଙ୍କର ଶରୀର ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା । ଗୋଟିଏ ଶରୀର ୨୦ ମିଟର, ଅନ୍ୟଟି ପ୍ରାୟ ୫୦ ମିଟର ଏବଂ ୩ୟ ଶରୀର ପ୍ରାୟ ୧୦୦ ମିଟର ଦୂରରେ ପଡ଼ିଥିଲା । ସେହି ରାସ୍ତାରେ କମ ଲୋକ ଯିବା ଆସିବା କରୁଥିବାରୁ ଘଟଣା ସନ୍ଧ୍ୟା ସାଢ଼େ ୫ଟାରେ ଜଣାପଡ଼ିଥିଲା । ସନ୍ଧ୍ୟା ହୋଇ ଯାଇଥିବାରୁ ଘଟଣାସ୍ଥଳକୁ ପୋଲିସ ଯାଇ ପାରି ନଥିବା ଜଣାପଡ଼ିଛି । ମୃତଶରୀର ଗୁଡିକୁ ପରବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ ।