ଶପଥ ନେଲେ ବିପ୍ଲବ କୁମାର ଦେବ ଓ ୯ ମନ୍ତ୍ରୀ

0
864

ଅଗରତାଲା: ବିପ୍ଲବ କୁମାର ଦେବ ଶୁକ୍ରବାର ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହିତ ପୂର୍ବୋତ୍ତର ରାଜ୍ୟରେ ବିଜେପିର ପ୍ରଥମ ସରକାର ଗଠିତ ହୋଇଛି । ଅଗରତାଲାର ରାଇଫଲ ଗ୍ରାଉଣ୍ଡରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ବିପ୍ଲବ କୁମାର ଦେବ ଶପଥ ଗ୍ରହଣ କରିଥିଲେ । ଅନ୍ୟ ୯ଜଣ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଥିବା ଜଣାଯାଇଛି । ଜିଷ୍ଣୁଦେବ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ସର୍ବାଧିକ ୧୨ ଜଣ ମନ୍ତ୍ରୀ ରହିପାରିବା କଥା, କିନ୍ତୁ ଆଜି ମନ୍ତ୍ରିମଣ୍ଡଳର ଆକାର ୯ରେ ସୀମିତ ରହିଛି । ଭବିଷ୍ୟତରେ ଏହା ବଢିପାରେ । ସୂଚନା ଯୋଗ୍ୟ ଯେ, ୪୮ ବର୍ଷ ବୟସ୍କ ବିପ୍ଲବ ଦେବ ମାର୍ଚ୍ଚ ୬ରେ ରାଜ୍ୟପାଳ ତଥାଗତ ରାୟଙ୍କୁ ସାକ୍ଷାତ କରି ସରକାର ଗଢିବାର ଦାବି ଉପସ୍ଥାପିତ କରିଥିଲେ । ବିଜେପି ଦଳକୁ ୩୫ଟି ଆସନ ମିଳିଥିବା ବେଳେ ଆଇପିଏଫଟି କୁ ୮ଟି ଆସନ ମିଳିଥିଲା । ୨୫ ବର୍ଷ ଧରି କ୍ଷମତାରେ ଥିବା ବାମଦଳକୁ ଏବେ କ୍ଷମତାରୁ ବାହାରକୁ ଯିବାର ରାସ୍ତା ଦେଖାଇଛି ବିଜେପି ଓ ଆଇପିଏଫଟି ମେଣ୍ଟ ।