ବାଙ୍କି : ୧୬ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇ ନେଇଯିବା ନେଇ ଗତକାଲି ଦିନ ସାରା ଚହଳ ପଡ଼ିଥିବା ବେଳେ ଘର ପଛପଟ ବାଡ଼ିର ଏକ କୂଅରୁ ଉଦ୍ଧାର ହୋଇଥିବା ଜଣାଯାଇଛି । ଗତକାଲି ତାଳବସ୍ତର ପାଟଣା ସାହିରୁ ରହସ୍ୟଜନକ ଭାବେ ଅନ୍ତର୍ଦ୍ଦାନ ହୋଇ ଯାଇଥିବା ଶିଶୁ ପୁତ୍ରର ଶବକୁ ୨୪ ଘଣ୍ଟା ପରେ ଘର ପଛପଟ ବାଡ଼ିର ଏକ କୂଅରୁ ଉଦ୍ଧାର ହୋଇଥିବା ଜଣାଯାଇଛି । ନିଜ ବାପା ମା ଙ୍କ ସହ ଘର ଅଗଣାରେ ଶୋଇଥିବା ଏକ ୧୬ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇ ନେଇଯିବା ନେଇ ଗତକାଲି ଦିନ ସାରା ଚହଳ ପଡ଼ିଥିଲା । ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ମାନ ଗଠନ କରାଯାଇ ମାଙ୍କଡ଼ର ଚଳପ୍ରଚଳ ରାସ୍ତାରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଶିଶୁପୁତଟିର ପିତା ହନୁମାନ ମନ୍ଦିରରେ ଅଧିଆ ପଡ଼ିଥିବା ବେଳେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଥିଲା ।
ଘଟଣାର ୨୪ ଘଣ୍ଟା ପରେ ରବିବାର ସକାଳୁ ପଡ଼ୋଶୀ ଘର ପଛପଟେ ଥିବା କୂଅରୁ ପାଣି ଆଣିବାକୁ ଯାଇ ଶିଶୁ ପୁତ୍ରଟିର ଶବ ଭାସୁଥିବା ଦେଖିଥିଲେ । ସେ ଡାକ ପକାଇବାରୁ କୂଅରୁ ଏହି ନବଜାତକ ଶିଶୁଟିର ଶବକୁ ଉଦ୍ଧାର କରାଯାଇଥିଲା ଓ ପୋଷ୍ଟମର୍ଟମ ପାଇଁ ବାଙ୍କି ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି ।