ନୂଆଦିଲ୍ଲୀ : କଠୁଆରେ ଆଠ ବର୍ଷୀୟ ଶିଶୁ କନ୍ୟାର ଗଣ ବଳାତ୍କାର ଓ ହତ୍ୟାରେ ବ୍ୟଥିତ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ ଶିଶୁ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡ ଦାବି କରିଛନ୍ତି।ମୃତ୍ୟୁଦଣ୍ଡର ପ୍ରାବଧାନ ପାଇଁ ପୋକ୍ସୋ ଆକ୍ଟରେ ସଂଶୋଧନ ଉପରେ ତାଙ୍କ ମନ୍ତ୍ରଣାଳୟ ବିଚାର କରୁଛି।
ଜାମ୍ମୁ ଓ କାଶ୍ମୀରର କଠୁଆରେ ଆଠ ବର୍ଷୀୟ ଶିଶୁ କନ୍ୟାର ଗଣ ବଳାତ୍କାର ଓ ହତ୍ୟାରେ ଲୋକଙ୍କ ଆକ୍ରୋଶ ପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ଶିଶୁଙ୍କ ସହିତ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରୟାସ କରୁଛନ୍ତି। ମୃତ୍ୟୁଦଣ୍ଡର ପ୍ରାବଧାନ ପାଇଁ ପୋକ୍ସୋ ଆକ୍ଟରେ ସଂଶୋଧନର ଦାବି ଉପରେ ମନ୍ତ୍ରଣାଳୟ ବିଚାର କରୁଛି। ମେନକା କହିଛନ୍ତି କଠୁଆରେ ଶିଶୁ କନ୍ୟାଙ୍କୁ ବଳାତ୍କାର ଓ ନିକଟରେ ଶିଶୁଙ୍କ ସହ ହୋଇଥିବା ବଳାତ୍କାର ଘଟଣାରେ ମୁଁ ବହୁତ ବ୍ୟଥିତ। ମୁଁ ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଯୌନ ଅପରାଧରେ ଶିଶୁଙ୍କ ସୁରକ୍ଷା(ପୋକ୍ସୋ) ଆକ୍ଟରେ ସଂଶୋଧନର ପ୍ରସ୍ତାବ ରଖିବୁ। ଯେଉଁ ଆଧାରରେ ୧୨ ବର୍ଷରୁ କମ ବୟସର ଶିଶୁଙ୍କ ସହ ବଳାତ୍କାର କରୁଥିବା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦିଆଯିବାର ପ୍ରାବଧାନ ରହିବ। କଠୁଆ ଜିଲ୍ଲାରେ ଗତ ଜାନୁଆରୀ ମାସରେ ୮ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ବନ୍ଧକ ରଖି ଅନେକ ଲୋକ ବଳାତ୍କାର କରିଥିଲେ। ମାନବିକତାର ସୀମା ଟପି ଯାଇଥିବା ଏହି ଘଟଣାରେ ସେହି ପିଶାଚମାନେ ଶିଶୁର ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏହି ଘଟଣାର ମାଷ୍ଟର ମାଇଣ୍ଡ ସାଂଝୀ ରାମ ସହିତ ଆଠ ଜଣ ଲୋକଙ୍କ ବିରୋଧରେ ଏତଲା ଦାୟର ହୋଇଛି। ଯାଞ୍ଚରୁ ଜଣା ପଡିଛି ଯେ ଶିଶୁକୁ ମନ୍ଦିରରେ ବନ୍ଧକ ରଖାଯାଇଥିଲା। ୮ ଦିନ ପର୍ୟ୍ୟନ୍ତ ଭୋକରେ ରଖି ନିଶା ଔଷଧ ଦେଇ ବଳାତ୍କାର କରାଯାଇଥିଲା। ଏହା ପରେ ଶିଶୁକୁ ନୃସଂଶ ଭାବେ ହତ୍ୟା କରାଯାଇଥିଲା।