ଭଦୋଦରା : ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ ୟୁନିଟର ଲୋକାର୍ପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗୁଜରାତର ବିଜେପି ସରକାର। ଅକ୍ଟୋବର ୩୧ ସର୍ଦ୍ଦାରଙ୍କ ଜନ୍ମ ଦିନରେ ଏହି ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରାଯିବ ବୋଲି ଗୁଜରାତର ମୁଖ୍ୟ ଶାସନ ସଚିବ ଜେ ଏନ ସିଂହ କହିଛନ୍ତି।
ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅକ୍ଟୋବର ୩୧ ଜନ୍ମ ଜୟନ୍ତୀ ଅବସରରେ ଗୁଜରାତର ବିଜେପି ସରକାର ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ ୟୁନିଟର ଲୋକାର୍ପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। କେଭାଦିଆରେ ନର୍ମଦା ନଦୀ ଉପରେ ନିର୍ମିତ ସର୍ଦ୍ଦାର ସରୋବର ଡ୍ୟାମଠୁ ୩.୩୨ କିମି ଦୂରରେ ସଧୁ ବେଟରେ ବିଶ୍ଵର ସବୁଠୁ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଉଛି। ଅକ୍ଟୋବର ୩୧ ସର୍ଦ୍ଦାରଙ୍କ ଜନ୍ମ ଦିନରେ ଏହି ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରାଯିବ ବୋଲି ଗୁଜରାତର ମୁଖ୍ୟ ଶାସନ ସଚିବ ଜେ ଏନ ସିଂହ କହିଛନ୍ତି।
ସିଂହ ସୋମବାର ନିର୍ମାଣଧୀନ ସ୍ଥଳୀ ପରିଦର୍ଶନ କରି କାମ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ନିର୍ମାଣ କାର୍ୟ୍ୟ ସଠିକ୍ ଢଙ୍ଗରେ ଚାଲିଛି ଏବଂ ଏହା ନିର୍ଦ୍ଧାରିତ ସମୟରେ ଏହା ଶେଷ ହେବ। ତେଣୁ ଷ୍ଟାଚ୍ୟୁ ଅଫ ୟୁନିଟି ଅକ୍ଟୋବର ୩୧ରେ ଲୋକାର୍ପଣ ପାଇଁ ପ୍ରସ୍ତୁତ ହୋଇଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ହେଉଛି ଏକ ଡ୍ରିମ ପ୍ରୋଜେକ୍ଟ। ଏହି ବିଶାଳ ପ୍ରତିମୂର୍ତ୍ତିର ଶିଳାନ୍ୟାସ ଦେଶର ଆଇରନ ମ୍ୟାନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୩୮ ତମ ଜନ୍ମ ଜୟନ୍ତୀ ଅବସରରେ ୨୦୧୩ ଅକ୍ଟୋବର ୩୧ରେ କରାଯାଇଥିଲା। ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଥିଲେ। ୩୦୦୦ କୋଟି ଟଙ୍କା ବ୍ୟୟରେ ପବ୍ଲିଲ ପ୍ରାଇଭେଟ୍ ପାର୍ଟନରସିପ୍(ପିପିପି) ମୋଡରେ ଏହି ପ୍ରତିମୂର୍ତ୍ତିର ନିର୍ମାଣ କରାଯାଉଛି। ସର୍ଦ୍ଦାର ସରୋବର ନର୍ମଦା ନିଗମର ତତ୍ଵାବଧାନରେ ଏଲ ଏଣ୍ଡ ଟି ଏହାର ନିର୍ମାଣ କରୁଛି।
ଉଲ୍ଲେଖଯୋଗ୍ୟ ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶ ସ୍ଵାଧୀନତା ପରେ ଛୋଟ ଛୋଟ ୫୬୨ଟି ରାଜ୍ୟକୁ ଏକତ୍ର କରି ୨୮ଟି ରାଜ୍ୟ ଗଠନରେ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ। ତାଙ୍କର ଏହି ଏକତାଭାବ ସମ୍ମାନର୍ଥେ ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ କରାଯାଉଛି। ଏହା ବିଶ୍ଵର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ହେବାକୁ ଯାଉଛି। ଏହାର ଦର୍ଶକ ଗ୍ୟାଲେରୀ ୫୦୦ ଫୁଟ୍ ଇଲାକାରେ ବିସ୍ତୀର୍ଣ୍ଣ ରହିଛି। ଏଠାରେ ଅଡିଓ ଭିଜୁଆଲ ଗ୍ୟାଲେରୀର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏଥିସହ ଲେଜର ଲାଇଟ୍, ସାଉଣ୍ଡ ସୋର ବ୍ୟବସ୍ଥା କରାଯିବା ସହ ଦର୍ଶକଙ୍କୁ ଆର୍କଷିତ କରିବା ଭଳି ବ୍ୟବସ୍ଥା ପ୍ରତିମୂର୍ତ୍ତିର ଚତୁଃପାର୍ଶ୍ଵରେ କରାଯାଉଛି।