ନୂଆଦିଲ୍ଲୀ : ସୋମବାର ଦେଶର ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଗୃହ ମନ୍ତ୍ରଣାଳୟ ଏ ନେଇ ୧୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇଛି।
ପ୍ରକୃତି ଦେଖାଇଛି ନିଜର କରାଳ ରୂପ । ଉତ୍ତର ଭାରତର ଅନେକ ରାଜ୍ୟରେ ପ୍ରବଳ ଝଡ଼ ତୋଫାନ କାରଣରୁ ଯାଇଛି ୧୨୪ରୁ ଉର୍ଦ୍ଧ୍ଵ ଜୀବନ। ଘଟିଛି ଅକଳନୀୟ କ୍ଷୟକ୍ଷତି। ସୋମବାର ଦେଶର ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଗୃହ ମନ୍ତ୍ରଣାଳୟ ଏ ନେଇ ୧୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇଛି। ଗୃହ ମନ୍ତ୍ରଣାଳୟ କହିଛି ଯେ ଜାମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ ଘଡ଼ି ହେବାର ସମ୍ଭାବନା ରହିଛି।
ଏହି ପରି ଉତ୍ତରାଖଣ୍ଡ ଓ ପଞ୍ଜାବର କିଛି ସ୍ଥାନରେ ଜୋରରେ ପବନ ବହିବା ସହିତ ଘଡ଼ ଘଡ଼ି ହେବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ମଧ୍ୟ ୫ଟି ରାଜ୍ୟରେ ଧୂଳି ଝଡ ସହ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ୧୨୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ। ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଭାରତୀୟ ପାଣିପାଗ ବିଭାଗର ଆଡଭାଇଜରି ଉଲ୍ଲେଖ କରି କହିଛନ୍ତି ଯେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାର କିଛି ସ୍ଥାନରେ ସୋମବାର ପ୍ରବଳ ବର୍ଷା ହୋଇପାରେ। ଅଧିକାରୀଙ୍କ ମୁତାବକ ଜାମ୍ମୁ ଓ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ ମଧ୍ୟ ବିଜୁଳି ଘଡ଼ ଘଡ଼ି ସହିତ ବର୍ଷା ସହିତ ଜୋରରେ ପବନ ବହିପାରେ।
ଅଧିକାରୀ କହିଛନ୍ତି ପଶ୍ଚିମ ରାଜସ୍ଥାନର କିଛି ସ୍ଥାନରେ ଧୂଳି ଝଡ଼ ତୋଫାନ ସହିତ ଘଡ଼ ଘଡ଼ି ବର୍ଷା ହୋଇପାରେ। ଅନ୍ୟ ପଟେ ମେ ୭ ଓ ୮ରେ ଭୟଙ୍କର ଝଡ଼ ତୋଫାନ ଓ ବର୍ଷା ଆଶଙ୍କା ମଧ୍ୟରେ ହରିୟାଣା ସରକାର ସୋମବାର ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର ଛୁଟି ଘୋଷଣା କରିଛନ୍ତି।