ସିବିଏସଇ: ଏପ୍ରିଲ ୨୫ରେ ଦ୍ଵାଦଶ ଅର୍ଥନୀତି , ୧୫ ଦିନ ମଧ୍ୟରେ ଦଶମ ପରୀକ୍ଷା ନିଷ୍ପତ୍ତି

0
1026
Students
Students

ନୂଆଦିଲ୍ଲୀ :  ସିବିଏସଇ ଦ୍ଵାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ସାରା ଦେଶରେ  ଏପ୍ରିଲ ୨୫ରେ ହେବ। ମାତ୍ର ଦଶମ ଶ୍ରେଣୀର ଗଣିତ ପରୀକ୍ଷା କେବେ ହେବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ।  ଏହି ମାମଲାରେ ଆଗାମୀ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ଵାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷାର ତାରିଖ ଘୋଷଣା କରିଛନ୍ତି। ଅର୍ଥନୀତି ପରୀକ୍ଷା ଏପ୍ରିଲ ୨୫ରେ ଆୟୋଜିତ ହେବ। ମାତ୍ର ଦଶମ ଶ୍ରେଣୀର ଗଣିତ ପରୀକ୍ଷା କେବେ ହେବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ।  ଶିକ୍ଷା ସଚିବ ଅନିଲ ସ୍ଵରୂପ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୂତନ ତାରିଖର ଘୋଷଣା କରି କହିଛନ୍ତି ଯେ ଦ୍ଵାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ସାରା ଦେଶରେ ଆୟୋଜିତ ହେବ। ମାତ୍ର ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଜୁଲାଇରେ ହୋଇପାରେ। ଯାହା କେବଳ ଦିଲ୍ଲୀ, ଏନସିଆର ଓ ହରିୟାଣାରେ ଆୟୋଜିତ ହେବ।  ଏହି ମାମଲାରେ ଆଗାମୀ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଆବଶ୍ୟକ ପଡିଲେ ଦଶମ ଶ୍ରେଣୀର ଗଣିତ ପରୀକ୍ଷା କରାଯିବ।

ସ୍ଵରୂପ କହିଛନ୍ତି ଯେ ପ୍ରଶ୍ନ ପତ୍ର ଲିକ୍ ସମସ୍ୟାର କୌଣସି ତତ୍କାଳ ସମାଧାନ ନାହିଁ। ଦଶମ ଶ୍ରେଣୀର ଗଣିତ ପରୀକ୍ଷାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ ଦଶମ ଶ୍ରେଣୀର ପ୍ରଶ୍ନ ପତ୍ର ଲିକ୍ ମାମଲା ଦିଲ୍ଲୀ ଏବଂ ହରିୟାଣା ପର୍ୟ୍ୟନ୍ତ ସୀମିତ। ତେଣୁ ଏହି ଦୁଇଟି ଜାଗାରେ ହିଁ ଗଣିତ ପରୀକ୍ଷା ହୋଇ ପାରେ। ଯଦି ପରୀକ୍ଷା ହୁଏ ତେବେ ଏହା ଜୁଲାଇରେ  କରାଯାଇପାରେ। ଦେଶ ବାହାରେ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ସ୍ଵରୂପ କହିଛନ୍ତି ଭାରତ ବାହାରେ ପ୍ରଶ୍ନ ପତ୍ର ଲିକ୍ ନେଇ କୌଣସି ସୂଚନା ନାହିଁ। ଏଥିପାଇଁ ଦେଶ ବାହାରେ କୌଣସି ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ।

ଉଲ୍ଲେଖଯୋଗ୍ୟ ସିବିଏସଇ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଛାତ୍ର-ଛାତ୍ରୀ ଜୋରଦାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଭିସଲବ୍ଲୋଅରଙ୍କ ସନ୍ଧାନରେ ଜୁଟିଛି।  ଏଥିପାଇଁ  ଗୁଗୁଲର ସହାୟତ ନିଆଯାଇଛି।  କାରଣ ଏହି ଭିସଲବ୍ଲୋଅର ହିଁ ସିବିଏସଇ ଅଧ୍ୟକ୍ଷଙ୍କୁ ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ଇମେଲ କରି ସତର୍କ କରାଇଥିଲେ। କ୍ରାଇମ ବ୍ରାଞ୍ଚ ଏହି ଇମେଲ ବିଷୟରେ ଗୁଗୁଲକୁ ଜବାବ ମାଗିଛନ୍ତି। ଏହି ମେଲକୁ ଜିମେଲ ଆଇଡିରୁ ପଠାଯାଇଥିଲା ଏବଂ ଏଥିରେ  ହାତରେ ଲେଖାଯାଇଥିବା ପ୍ରଶ୍ନ ପତ୍ରର ଫଟୋ ମଧ୍ୟ ରହିଥିଲା। ହ୍ଵାଟ୍ସଅପରେ ପ୍ରଶ୍ନ ପତ୍ର ସେୟାର ହେବାର ଖବର ମଧ୍ୟରେ  କ୍ରାଇମ ବ୍ରାଞ୍ଚ ୧୦ ରୁ ଅଧିକ ହ୍ଵାର୍ଟ୍ସଗ୍ରୁପର ଚିହ୍ନଟ କରିଛି।  ଯେଉଁ ଗ୍ରୁପରେ ୫୦ ରୁ ୬୦ ସଦସ୍ୟ ଅଛନ୍ତି। ମାମଲାରେ ଯାଞ୍ଚ ଏବଂ ଜେରା ପ୍ରକ୍ରିୟା ଜାରି ରହିଛି। ଏହି ସବୁ ମଧ୍ୟରେ ପ୍ରଶ୍ନ ପତ୍ର ଲିକ୍ ନେଇ ୫ ଜଣ ଛାତ୍ରଙ୍କ ଗୋଷ୍ଠୀ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଭେଟିଛନ୍ତି। ସିବିଏସଇର ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କରି ଛାତ୍ରମାନେ କହିଛନ୍ତି ଯେ ସିବିଏସଇର ଭୁଲର ସଜା ଛାତ୍ରଙ୍କୁ ମିଳିବା ଉଚିତ୍ ନୁହେଁ। ଅନ୍ୟ ପଟେ ଦିଲ୍ଲୀରେ ପ୍ରକାଶ ଜାଭେଦକରଙ୍କ ଘର ପାଖରେ ୧୪୪ ଧାରା ଲାଗୁ କରାଯାଇଛି।