ସ୍ମାର୍ଟ ସିଟି ଲୋଗୋ , ୱେବସାଇଟ୍ ଉନ୍ମୋଚିତ

0
865
ORISSA CM NAVIN PATNAIK
ORISSA CM NAVIN PATNAIK
ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଲୋଗୋ ଓ ୱେବସାଇଟ୍ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଦ୍ୱାରା ପ୍ରସ୍ତୁତ ଭୁବନେଶ୍ୱର-ଡଟ୍-ମି ନାମକ ଅନ୍ୟ ଏକ ୱେବସାଇଟ୍ ଏବଂ ସହର ସମ୍ପର୍କିତ ଏକ କ୍ଷୂଦ୍ର ବୃତ ଚିତ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ରାଜଧାନୀର ୭୦ ତମ ପ୍ରତିଷ୍ଠା ଦିବସର ଅବ୍ୟବହିତପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟ ଠାରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଲୋଗୋ ଓ ୱେବସାଇଟ୍ (www.smartcitybhubaneswar.gov.in) ଲୋକାର୍ପିତ କରିଛନ୍ତି । ଏହା ସହ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଦ୍ୱାରା ପ୍ରସ୍ତୁତ ଭୁବନେଶ୍ୱର-ଡଟ୍-ମି ନାମକ ଅନ୍ୟ ଏକ ୱେବସାଇଟ୍ ଏବଂ ସହର ସମ୍ପର୍କିତ ଏକ କ୍ଷୂଦ୍ର ବୃତ ଚିତ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ଏହି ଲୋକାର୍ପଣ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୯୯ ମସିହାର ମହାବାତ୍ୟାର ମହାପ୍ରଳୟ ଜନିତ ବିପର୍ଯ୍ୟୟପରେ ଭୁବନେଶ୍ୱରକୁ ଆଜିର ଏହି ବିଶ୍ୱସ୍ତରୀୟ ନଗର ଭାବରେ ଗଢିତୋଳିବାର ପ୍ରୟାସ ଭିତରେ ଆମେ ଅତିକ୍ରାନ୍ତ କରିଥିବା ସମୟ ଏବଂ ଆହ୍ୱାନ ସବୁ ଆଖି ଆଗରେ ଆସିଯାଉଛି । ଆମର ସାଂସ୍କୃତିକ ପରମ୍ପରା, ନାଗରିକ ମାନଙ୍କର ଅତିଥି ପରାୟଣତା ତଥା ସ୍ମାର୍ଟ, ଅଭିନବ ସୁବିଧ। ସୁଯୋଗ ଆଦି ଆମର ଏହି ରାଜଧାନୀକୁ ଏକ ଅନନ୍ୟ ନଗର କୈନ୍ଦ୍ରିକ ଅନୁଭୂତି ଆଣିଦେଇଛି ।

ସେ ଆହୁରି କହିଥିଲେ ଯେ ଭୁବନେଶ୍ୱରର ଅଭ୍ୟୁଦୟ ଏକ ଉଲ୍ଲେଖନୀୟ ସଫଳତା । ଅବିଶ୍ରାନ୍ତ ଉଦ୍ୟମର ଫଳ ସ୍ୱରୂପ ଏହା ଭାରତର ଶ୍ରେଷ୍ଠ ସ୍ମାର୍ଟ ସିଟି ହେବାର ଗୌରବ ସହ ସ୍ମାର୍ଟ ସଲ୍ୟୁସନ୍ସର ଉପଯୋଗରେ ନାଗରିକମାନଙ୍କୁ ସର୍ବୋତମ ସେବାର ଉପଲବ୍ଧି କରାଇବାରେ ଚେଷ୍ଟିତ ଅଛି । ଏଥିରେ ସଭିଙ୍କ ପାଇଁ ସୁବିଧା ସୁଯୋଗ ସହ ସମାଜର ସମସ୍ତ ବର୍ଗଙ୍କୁ ନେଇ ଆଗକୁ ବଢିବାର ପ୍ରତିବନ୍ଧତା ରହିଛି ।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ର ଲୋଗୋ ଓ ୱେବସାଇଟ୍ ରେ ବିଏସସିଏଲ୍ ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ , କାର୍ଯ୍ୟକ୍ରମ , ଘୋଷଣା ତଥା ନିର୍ମାଣଧୀନ ଏବଂ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ପ୍ରକଳ୍ପ ସମ୍ପର୍କିତ ସୂଚନା ଉପଲବ୍ଧ ରହିଛି । ଏହା ବ୍ୟତୀତ ଏହି ୱେବସାଇଟ୍ ରେ ବିଏସସିଏଲ ନିର୍ଦ୍ଦେଶକ ମଣ୍ଡଳୀ, ଅର୍ଗାନୋଗ୍ରାମ୍, ଶିଶୁ ଅନୁକୂଳ ସହର ବିକାଶର ବୈଶିଷ୍ଟ୍ୟ, ପ୍ରତିଟି ପ୍ରକଳ୍ପର ସୂଚନା ଓ ଅଗ୍ରଗତି, କାର୍ଯ୍ୟକ୍ରମ ସମୂହ, ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରସ୍ତାବ ସମ୍ପର୍କିତ ସୂଚନା ଏବଂ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ସୂଚନା ମିଳିପାରିବ ।

ଭୁବନେଶ୍ୱର ଡଟ୍ ମି ୱେବ୍ ସାଇଟ୍‌ରେ ଭୁବନେଶ୍ୱରର ଗୌରବମୟ ଐତିହ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ, ବ୍ୟଂଜନ ଆଦି ସମ୍ପର୍କିତ ତଥ୍ୟ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ । ଏଥିରେ ସଂଗ୍ରହାଳୟ, ପର୍ବପର୍ବାଣୀ, ମନ୍ଦିର, ପାର୍କ, ପଦଯାତ୍ର, କ୍ରୀଡା ଭିତିଭୂମି ଓ ଐତିହ୍ୟ ସ୍ଥଳୀ ଗୁଡିକର ଫଟୋ ସହିତ ସୂଚନା ମିଳିପାରିବ ।

ସେହିପରି ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ୱେବ୍ ସାଇଟ୍ ରୁ ଅତିଥି ଭବନ ଭଳି ସରକାରୀ ରହଣି ସୁବିଧା ଠାରୁ ଆରମ୍ଭ କରି ହୋଟେଲରେ ରହଣୀ ସମ୍ପର୍କିତ ସୂଚନା ଗୋଟିଏ କ୍ଲିକ୍‌ରେ ପାଇପାରିବେ । ଓଡିଆ ଖାଦ୍ୟ ମିଳୁଥିବା ହୋଟେଲ ବ୍ୟତୀତ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ ।

କେବଳ ସେତିକି ନୁହେଁ ପର୍ଯ୍ୟଟକମାନେ ପାଣିପାଗ ସୂଚନା ଠାରୁ ଆରମ୍ଭ କରି ପରିବହନ, ବ୍ୟବସ୍ଥା, ନିରାପତା ପରାମର୍ଶ, ଉତ୍ସବ କ୍ୟାଲେଣ୍ଡର ଓ ଜରୁରୀକାଳୀନ ଯୋଗାଯୋଗ ଇତ୍ୟାଦି ମିଳିପାରିବ । ସେହିପରି ଏହି ଅବସରରେ ୨ ମିନିଟ ୧୫ ସେକେଣ୍ଡର ଏକ ବୃତ୍ତ ଚିତ୍ରର ଲୋକାର୍ପଣ କରାଯାଇଥିଲା । ସେଥିରେ ଓଡିଶାର କଳା , ସ୍ଥାପତ୍ୟ ପରମ୍ପରା ସହ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଏଥିରେ ସ୍ଥାନ ପାଇଛି ।