ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ମୃତ , ଶାଶୁ ଓ ଝିଆରୀ ଗୁରୁତର

0
889
man murdeded wife in the court premises
man murdeded wife in the court premises
ସମ୍ବଲପୁର : ପରିବାର ଅଦାଲତରେ ସ୍ୱାମୀ ଆକ୍ରମଣରେ ସ୍ତ୍ରୀ’ ର ମୃତ୍ୟୁ ହୋଇଥିବା ବେଳେ ଶାଶୁ ଓ ସଂପର୍କୀୟ ଝିଆରୀ ଗୁରୁତର ଅଛନ୍ତି ।  ଅଭିଯୁକ୍ତ ସ୍ୱାମୀ ରମେଶ କୁମ୍ଭାରକୁ ପୋଲିସ ଗିରଫ କରିଛି ।
ସମ୍ବଲପୁରରେ ପାରିବାରିକ କଳହର ସମାଧାନ ପାଇଁ କୋର୍ଟକୁ ଆସଥିବା ବେଳେ ନିଜ ସ୍ତ୍ରୀ ଓ ସଂପର୍କୀୟଙ୍କ ଉପରେ ଜଣେ ଯୁବକ ଆକ୍ରମଣ କରିଛି । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ସଂଜିତାର ବୁର୍ଲା ମେଡ଼ିକାଲରେ ମୃତ୍ୟୁ ହୋଇଥିବା ବେଳେ ଶାଶୁ ଓ ସଂପର୍କୀୟ ଝିଆରୀ ଗୁରୁତର ଅଛନ୍ତି । ତାଙ୍କର ସମ୍ବଲପୁର ସଦର ମେଡ଼ିକାଲାରେ ଚିକିତ୍ସା ଚାଲିଛି । ଅଭିଯୁକ୍ତ ସ୍ୱାମୀ ରମେଶ କୁମ୍ଭାରକୁ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ, ପାରିବାରିକ କଳହର ସମାଧାନ ପାଇଁ ଆଜି ସକାଳେ ସମ୍ବଲପୁର ଫ୍ୟାମିଲ କୋର୍ଟକୁ  ସିନ୍ଦୁରପଙ୍କ ଗ୍ରାମର ରମେଶ କୁମ୍ଭାର ଓ ଅନ୍ୟପକ୍ଷରୁ ତାଙ୍କ ସ୍ତ୍ରୀ ସଂଜିତାଙ୍କ ସହିତ ଶ୍ୱଶୁର ଘର ଲୋକ ଆସିଥିଲେ ।  ଆଜି କାଉନସେଲିଂ ହୋଇଥାଆନ୍ତା । ମାତ୍ର ଏହା ପୂର୍ବରୁ ରମେଶ କୋର୍ଟ ପରିସରରେ ଏକ ଛୁରୀରେ ସ୍ତ୍ରୀ, ଶାଶୁ ଓ ଶାଳୀର ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ପ୍ରଥମେ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସଂଜିତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସଂଜିତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଶାଶୁ ଲଳିତା ଚୌଧୁରୀ ଓ ତାଙ୍କ ନାତୁଣୀ ସଦର ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ପୋଲିସ ଅଭିଯୁକ୍ତ ରମେଶକୁ ଅଟକ ରଖିଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ରମେଶ ଓ ସଂଜିତାଙ୍କର ପ୍ରେମ ବିବାହ ହୋଇଥିଲା । ମାତ୍ର ଏହାକୁ ସାମାଜିକ ସ୍ୱୀକୃତି ମିଳି ନ ଥିଲା । ରିତିନୀତି ଅନୁସାରରେ ବିବାହ କରିବାକୁ କହି ସଂଜିତାଙ୍କ ଘର ଲୋକ ତାଙ୍କୁ ଘରକୁ ନେଇ ଆସିଥିଲେ । ଏହା ପରେ ତାଙ୍କୁ ଆଉ ଛାଡ଼ି ନ ଥିଲେ । ସ୍ତ୍ରୀକୁ ଫେରାଇ ଆଣିବାକୁ ରମେଶ କୋର୍ଟରେ ଆବେଦନ କରିଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।