ରାଜ୍ୟରେ ଆଉ ସମ୍ଭାବ୍ୟ ୨୫୨୬ କିମି ନୂଆ ରାଜମାର୍ଗ ତିଆରି କରିବା ପାଇଁ ଏକ ତାଲିକା ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ବେଳେ ରାଜ୍ୟ ସରକାର ଏହାର ସବିଶେଷ ବିବରଣୀ ଓ ତଥ୍ୟ ପ୍ରଦାନ ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱାରା ଏହି କାମକୁ ଗତିଶୀଳ କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଏହି ପତ୍ରରେ କହିଛନ୍ତି ଯେ ଗତ ମଙ୍ଗଳବାର ଦିନ ରାଜ୍ୟରେ ଜାତୀୟ ରାଜମାର୍ଗ ସମ୍ପର୍କରେ ନୂଆ ଦିଲ୍ଲୀ ଠାରେ ସମୀକ୍ଷା କରିଥିଲେ । ଗତ ୬ ମାର୍ଚରେ ସମ୍ଭାବ୍ୟ ରାଜମାର୍ଗ ତିଆରି କରିବାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି । ରାଜ୍ୟ ସରକାରଙ୍କ ଠାରୁ ସବିଶେଷ ବିବରଣୀ ମିଳିବା ପରେ କାମ ଆଗକୁ ବଢିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ଓଡିଶାରେ ମୋଟ ୪୮୪୭ କିମି ନୂଆ ଜାତୀୟ ରାଜମାର୍ଗ କାମ ମଧ୍ୟରୁ ଏନଏଚଏଆଇ ୧୯୧୨ କିମି ଓ ରାଜ୍ୟ ପୂର୍ତ ବିଭାଗ ୨୯୩୫ କିମି କାମର କ୍ରିୟାନ୍ୱୟନ କରୁଛନ୍ତି । ଏହା ସହ ଆଉ ୪୯୪ କିମି ଜାତୀୟ ରାଜମାର୍ଗ ଘୋଷିତ ହୋଇ ସାରିଛି ଓ ଏହାକୁ ଏନଏଚଏଆଇ ଓ ରାଜ୍ୟ ପୂର୍ତ ବିଭାଗ କ୍ରିୟାନ୍ୱିତ କରୁଛି । ଏହା ଛଡା ୧୨୭୮ କିମି ଜାତୀୟ ରାଜମାର୍ଗ କାମକୁ ନୀତିଗତ ଭାବେ ସମ୍ମତି ପ୍ରଦାନ କରା ଯାଇ ରାଜ୍ୟ ପୂର୍ତ ବିଭାଗକୁ ଏହାର ଡିପିଆର ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆ ଯାଇଛି ।
ଉଚ୍ଚାଭିଳାଷୀ ଭାରତ ମାଳା ପ୍ରକଳ୍ପରେ ରାଜ୍ୟର ୪୮୫ କିମି ଜାତୀୟ ରାଜମାର୍ଗ ଅନୁମୋଦିତ ହେବା ପରେ ଏହାର ଡିପିଆର ପ୍ରସ୍ତୁତି କାର୍ଯ୍ୟ ଏନଏଚଅଏଆଇ କରୁଛି । ଏହା ଛଡା ପଛୁଆ ଅଂଚଳ, ଧାର୍ମିକ ଗୁରୁତ୍ୱ ଓ ପର୍ଯ୍ୟଟନ ସ୍ଥଳ ସହ ସଂଯୋଗ ପାଇଁ ୩୨୪ କିମି ରାସ୍ତା ଅନୁମୋଦିତ ହେବା ସହ ଏନଏଚ ଏଆଇ ଏହାର ଡିପିଆର ପ୍ରସ୍ତୁତ କାର୍ଯ୍ୟ କରୁଛି । କ୍ରିୟାନ୍ୱୟନ ବା ଡିପିଆର ସ୍ତରରେ ଥିବା ରାସ୍ତା ଗୁଡିକ ଛଡା ୨୫୨୬ କିମି ରାସ୍ତାକୁ ସମ୍ଭାବ୍ୟ ରାଜମାର୍ଗରେ ପରିଣତ କରିବାକୁ ଏବେ କେନ୍ଦ୍ର ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରା ଯାଇଛିା କ୍ରିୟାନ୍ୱିତ ହେଉଥିବା, ଡିପିଆର ସ୍ତରରେ ଥିବା ଓ ସମ୍ଭାବ୍ୟ ରାଜମାର୍ଗରେ ପରିଣତ କରିବାକୁ ଥିବା ରାସ୍ତାକୁ ମିଶାଇ ଓଡିଶାରେ ୨୦୧୪ ମସିହା ପରେ ମୋଟ ୯୯୫୪ କିମି ନୂଆ ଜାତୀୟ ରାଜମାର୍ଗର ଯୋଜନା କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ଦ୍ୱାରା ଏହି କାମକୁ ଗତିଶୀଳ କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ।