୩ ବର୍ଷୀୟ ଝିଅକୁ ବସରେ ଦୁଷ୍କର୍ମ

0
795
କୋଲକାତା: କୋଲକାତାର କାନାଲ ରାସ୍ତାରେ ଏକ ବସ୍ ମଧ୍ୟରେ ଜଣେ ୩ ବର୍ଷୀୟ ଝିଅଙ୍କୁ ଜଣେ ବସ୍ କ୍ଲିନର୍ ପାର୍କିଂ ହୋଇଥିବା ବସ୍ ମଧ୍ୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମୟରେ ଝିଅଟିର ୫ ବର୍ଷ ବୟସ୍କ ଭାଇ ସେଠାରେ ଉପସ୍ଥିତ ଥିଲେ ।
ଭାଇ ଜଣଙ୍କ ଉଭଣୀଙ୍କୁ ଛାଡ଼ି ଦେବା ପାଇଁ ଅଭିଯୁକ୍ତଙ୍କୁ ନେହୁରା ହୋଇଥିଲେ ହେଁ ସେ ଏହାକୁ ଭ୍ରୁକ୍ଷେପ କରି ନଥିଲେ । ପୁଲିସ୍ ଅଭିଯୁକ୍ତ ବସ୍ କ୍ଲିନର୍ ମୁନାକୁ ଗିରଫ କରିଥିବା ବେଳେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଆର୍ଜି କର୍ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋମବାର ସନ୍ଧ୍ୟାରେ ପୀଡ଼ିତା ଜଣଙ୍କ ତାଙ୍କ ଭାଇଙ୍କ ସହ କାନାଲ ଅଞ୍ଚଳରେ ଖେଳୁଥିଲେ । ଏହି ସମୟରେ ଅଭିଯୁକ୍ତ ମୁନା ଝିଅଟିକୁ ସେଠାରେ ପାର୍କିଂ ହୋଇଥିବା ଏକ ବସ୍ ମଧ୍ୟକୁ ଟେକି ନେଇ ଏହାର ଫାଟକକୁ ବନ୍ଦ କରି ଦେଇଥିଲା । ଭାଇ ଜଣଙ୍କ କୌଣସି ଉପାୟ ନପାଇ ବାରମ୍ବାର ଫାଟକ ଖୋଲିବାକୁ ନେହୁରା ହେବା ସହ ଉଭଣୀକୁ ଛାଡ଼ି ଦେବା ପାଇଁ ଅନୁରୋଧ କରିଥିଲା । କିନ୍ତୁ ମୁନା ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା । ସେ ସଙ୍ଗେସଙ୍ଗେ ଏନେଇ ତାଙ୍କ ମା’କୁ ଖବର ଦେଇଥିଲେ । ମା’ ପଡ଼ୋଶୀ ଲୋକଙ୍କ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ନିଜ ଝିଅକୁ ମୁନା କବଳରୁ ଉଦ୍ଧାର କରିଥିଲେ । ତେବେ ମୁନା ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ତାକୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସ୍ ଜିମା ଦେଇଥିଲେ । ପୁଲିସ୍ ତାକୁ ଗିରଫ କରିବା ସହ ଝିଅଟିର ଡାକ୍ତର ମାଇନା କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏବେ ବି ପୀଡ଼ିତାଙ୍କ ଅବସ୍ଥା ସଙ୍କଟପନ୍ନ ଥିବା ମେଡିକାଲ୍ ପକ୍ଷରୁ କୁହାଯାଇଛି ।