୫ଟି ରବି ଫସଲ ପାଇଁ ଦିଆଯିବ ସର୍ବନିମ୍ନ ସହାୟକ ମୂଲ୍ୟ

0
1039
Rabi-Crops
Rabi-Crops
ଭୁବନେଶ୍ୱର : କୃଷକ ମାନଙ୍କୁ ୫ ପ୍ରକାର ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ  ଦିଆଯିବ।  ରବି ଫସଲ କ୍ରୟ ବ୍ୟବସ୍ଥାରୁ ଅସାଧୁ ବ୍ୟବସାୟୀ ଯେପରି ମୁନାଫା ନ ଉଠାନ୍ତି ସେଥିପ୍ରତି ସତର୍କ ଦୃଷ୍ଟି  ଦିଆଯିବ।

ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ରବି ଋତୁରେ କୃଷକ ମାନଙ୍କୁ ୫ ପ୍ରକାର ଉତ୍ପାଦନରେ ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏମ୍.ପି) ଦିଆଯିବ। ସରକାର ମାର୍କଫେଡ୍ ମାଧ୍ୟମରେ ଅଧିକ ପରିମାଣର ରବିଶସ୍ୟ କିଣିବେ । ଏ ବିଷୟରେ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳ ମାନଙ୍କ ସହ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ରବି ଫସଲ କ୍ରୟ ବ୍ୟବସ୍ଥାରୁ ଅସାଧୁ ବ୍ୟବସାୟୀ ଯେପରି ମୁନାଫା ନ ଉଠାନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ଶ୍ରୀ ପାଢ଼ୀ ଜିଲ୍ଲାପାଳ ଏବଂ ଏସ୍.ପି ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କଠାରୁ କମ୍ ମୂଲ୍ୟରେ ଶସ୍ୟ କିଣି ସରକାରୀ କ୍ରୟ କେନ୍ଦ୍ରରେ ଚାଷୀଙ୍କ ନାମରେ ବିକ୍ରିକରି ଯେପରି ବେପାରୀମାନେ ଫାଇଦା ନ ଉଠାନ୍ତି ସେଥିପ୍ରତି ସତର୍କ ରହିବାକୁ କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ମଧ୍ୟ ଏସ୍.ପି ମାନଙ୍କୁ କୁହାଯାଇଛି ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ଭିଡିଓ କନ୍ଫେରେନ୍ସିଂରେ କୃଷି ଓ କୃଷକ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଜଣାଇଥିଲେ ଯେ ଚଳିତ ରବି ଋତୁରେ କୃଷକ ମାନଙ୍କଠାରୁ ୫ ପ୍ରକାର ରବି ଫସଲ କିଣା ହେବ । ଏଗୁଡିକ ହେଲା ହରଡ, ମୁଗ, ବିରି, ଚିନାବାଦାମ ଏବଂ ସୂର୍ଯ୍ୟମୁଖୀ ଫୁଲ ମଞ୍ଜି । ଏହିସବୁ ଫସଲ ନିମନ୍ତେ ସର୍ବନିମ୍ନ ମୂଲ୍ୟ ମଧ୍ୟ କରାଯାଇଛି । ରାଜ୍ୟର ସମୁଦାୟ ଉତ୍ପାଦନକୁ ଦୃଷ୍ଟିରେ ରଖି କ୍ରୟର ପରିମାଣ ନିର୍ଦ୍ଧାରଣ କରାଯାଇଛି ଯେପରିକି ଚାଷୀଙ୍କୁ ଅଭାବି ବିକ୍ରୀ ସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସମୁଦାୟ ୧୨୫୨୦ ମାଟ୍ରିକ୍ ଟନ୍ ମୁଗ, ୪,୯୦୦ ମାଟ୍ରିକ୍ ଟନ୍ ବିରି, ୪୪୦୦ ମାଟ୍ରିକ୍ ଟନ୍ ହରଡ, ୧୩୪୮୦ ମାଟ୍ରିକ୍ ଟନ୍ ଚିନାବାଦାମ ଏବଂ ୧୫୦୦ ମାଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ମଞ୍ଜୀ କିଣା ଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଗର୍ଗ ଜଣାଇଥିଲେ । ରାଜ୍ୟର ଯେଉଁ ସ୍ଥାନ ମାନଙ୍କରେ ଏହି ୫ ପ୍ରକାର ଫସଲର ବଳକା ଉତ୍ପାଦନ ହେଉଛି ସେସବୁ ସ୍ଥାନକୁ ଚିହ୍ନଟ କରି ସମବାୟ ସମିତି ମାନଙ୍କୁ ଜଣାଇବା ପାଇଁ ଶ୍ରୀ ଗର୍ଗ କୃଷି ଓ କୃଷକ କଲ୍ୟାଣ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ରବି ଋତୁ ନିମନ୍ତେ ମୁଗର ସର୍ବନିମ୍ନ ମୂଲ୍ୟ (ବୋନସ୍ ମିଶାଇ) କ୍ୱିଂଟାଲ ପ୍ରତି ୫୫୭୫ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ବିରିର ମୂଲ୍ୟ ୫୪୦୦ ଟଙ୍କା, ହରଡ କ୍ୱିଂଟାଲ ପ୍ରତି ୫୪୫୦ ଟଙ୍କା ଏବଂ ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଂଟାଲ ପ୍ରତି ୪୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ  ରଂଜନା ଚୋପ୍ରା ଜଣାଇଥିଲେ ଯେ ମାର୍କଫେଡ୍ ମାଧ୍ୟମରେ ରବି ଫସଲ କ୍ରୟ କରାଯିବ । ମାର୍କଫେଡ୍ ତରଫରୁ ପ୍ରାଥମିକ ସମବାୟ ସଂସ୍ଥା (ପାକ୍ସ୍ ) ମାନେ କ୍ରୟ କରିବେ । କୃଷକ ମାନେ ନିଜର ବଳକା ଉତ୍ପାଦନ ପାକ୍ସ୍ରେ ଦେବେ । ନିର୍ଦ୍ଧାରିତ ମାନର ଫସଲ କ୍ରୟ କରାଯିବ । ଫସଲର ମାନ ନିର୍ଦ୍ଧାରଣ ନିମନ୍ତେ ନିର୍ଦ୍ଧିଷ୍ଟ ଗାଇଡ୍ ଲାଇନ୍ ଏବଂ ମାପକ ଯନ୍ତ୍ର ପାକ୍ସ୍ ମାନଙ୍କୁ ଯୋଗାଇ ଦିଅ ।ଯାଉଛି । ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚୋପ୍ରା ଆହୁରି ମଧ୍ୟ ଜଣାଇଥିଲେ ଯେ କୃଷକ ମାନେ ନିଜର ବଳକା ରବି ଉତ୍ପାଦ ବିକ୍ରୀ କରିବା ନିମନ୍ତେ ନିଜର ଚାଷ ଜମି ପଟ୍ଟା ଏବଂ ପରିଚୟ ପତ୍ର ସମବାୟ ସମିତିରେ ପ୍ରମାଣ ସ୍ୱରୂପ ଦାଖଲ କରିବେ । କୃଷକ ପରିଚୟ ପତ୍ର, କିସାନ କ୍ରେଡିଟ୍ କାର୍ଡ, ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ, ଭୋଟର କାର୍ଡ ଆଦିକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇପାରେ ।

ଫସଲ ବିକ୍ରୀ ସମୟରେ ଚାଷୀଙ୍କର ବ୍ୟାଙ୍କ୍ ଆକାଉଂଟ୍ ନମ୍ବର, ଆକାଉଂଟ୍ ରେ ଲେଖାଥିବା ସଠିକ୍ ନାମ, ବ୍ୟାଙ୍କର ନାମ ଏବଂ ଅ।ଇ.ଏଫ୍.ଏସ୍. କୋର୍ଡ ଆଦିକୁ ସଠିକ୍ ଭାବେ ସଂଗ୍ରହ କରିବା ପାଇଁ ସମବାୟ ବିଭାଗ ଅଧିକାରୀ ମାନଙ୍କୁ ଶ୍ରୀମତୀ ଚୋପ୍ରା ନିର୍ଦ୍ଦେଶ ଦେଇଥିଲେ । ବ୍ୟାଙ୍କ୍ ସମ୍ବନ୍ଧିତ ତଥ୍ୟ ସଠିକ୍ ରହିଲେ କୃଷକ ମାନଙ୍କୁ ତୁରନ୍ତ ମୂଲ୍ୟ ଯୋଗାଣ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ କରାଯାଇପାରିବ ବୋଲି ଶ୍ରୀମତୀ ଚୋପ୍ରା କହିଥିଲେ । ସେଥିପାଇଁ ସରକାରଙ୍କ ତରଫରୁ ମାର୍କଫେଡ୍ ରେ ଆଗୁଆ ଟଙ୍କା ଜମା କରାଯାଇଛି ବୋଲି ଜଣାପଡିଛି । ଭିଡିଓ କନ୍ଫେରେନ୍ସିଂରେ ଉଭୟ କୃଷି ଓ କୃଷକ କଲ୍ୟାଣ ଏବଂ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।