ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଂଜିଲାଲ ମେହେରଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଏହି ଘଟଣାରେ ଅନ୍ୟ କାହାରି ସଂପୃକ୍ତି ନେଇ ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଂଚ ତଥ୍ୟ ସଂଗ୍ରହ କରିବ । ଗତକାଲି ପୁଂଜିଲାଲକୁ ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ୧୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରଂଚ ଆବେଦନ କରିଥିଲା । ମାତ୍ର କୋର୍ଟ ୬ ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି । ଆଜିଠାରୁ ରିମାଣ୍ଡରେ ଯାଇଥିବା ପୁଂଜିଲାଲଙ୍କୁ ପଚରାଉଚରା ଓ ଯାଂଚ କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଂଚର ହସ୍ତଗତ ହେବାର ସମ୍ଭାବନା ରହିଛି ।
ପଚରାଉଚରା ମଧ୍ୟରେ ପୁଂଜିଲାଲ ସମସ୍ତ ଘଟଣାକୁ ସ୍ୱୀକାର କରିଥିବା ଗତକାଲି କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଅଧ୍ୟକ୍ଷ ପଦବୀକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ରହିଥିବାବେଳେ ୮ ମାସ ପୂର୍ବରୁ ପୁଂଜିଲାଲ ଏହାର ଯୋଜନା କରିଥିଲେ । ଇଂଟରନେଟରୁ ବୋମା ତିଆରି କୌଶଳ ଶିକ୍ଷାଲାଭ କରି ସୁପରିକଳ୍ପିତ ଯୋଜନା ମଧ୍ୟରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଉଡାଇ ଦେବାକୁ ସେ ସ୍ଥିର କରିଥିଲେ ।