ଆନ୍ତଃଜାତି ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

0
380
inter caste marriage
inter caste marriage
ଭୁବନେଶ୍ୱର : ଆନ୍ତଃଜାତି ବିବାହ  କଲେ ମିଳିବ ଅଢେଇ ଲକ୍ଷ ଟଙ୍କା । ମଙ୍ଗଳବାର ପ୍ରୋତ୍ସାହନ ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଅର୍ଥରାଶି ପିଛିଲା ଭାବେ ୨୦୧୭ ମସିହା ସେପ୍ଟେମ୍ବର ୧୪ ତାରିଖରୁ ଲାଗୁ ହେବ ବୋଲି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ  ରମେଶ ଚନ୍ଦ୍ର ମାଝୀ ଆଜି ପ୍ରକାଶ କରିଛନ୍ତି ।

 ଆନ୍ତଃଜାତି ବିବାହ ବା ଇଣ୍ଟରକାଷ୍ଟ ମ୍ୟାରେଜ ପ୍ରୋତ୍ସାହନ ରାଶିକୁ ରାଜ୍ୟ ସରକାର ମଙ୍ଗଳବାର ବୃଦ୍ଧି କରିଛନ୍ତି। ସବର୍ଣ୍ଣ ହିନ୍ଦୁ ଓ ଅନୁସୂଚିତ ଜାତି ହିନ୍ଦୁଙ୍କ ମଧ୍ୟରେ ବିବାହକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ରାଶିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପ୍ରୋତ୍ସାହନ ରାଶି ୧ ଲକ୍ଷ ଥିବାବେଳେ ତାହାକୁ ବଢାଇ ୨ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି।

ଏଥିପାଇଁ ଅର୍ଥ ରାଶି ଗ୍ରହୀତାଙ୍କ ନିମନ୍ତେ ଆୟର ସୀମା ରଖାଯାଇ ନାହିଁ। ପୂର୍ବରୁ ଦରଖାସ୍ତ ସମ୍ବନ୍ଧୀୟ ରହିଥିବା ସମସ୍ତ ପ୍ରକ୍ରିୟା ବଳବତର ରହିଛି । ଜାତୀୟ ବ୍ୟାଙ୍କରେ ଦମ୍ପତିଙ୍କ ଯୁଗ୍ମ ଆକାଉଂଟରେ ରହିଥିବା ଏହି ରାଶିରେ ପ୍ରଥମ ନାମ ମହିଳାଙ୍କର ରହିବ । ଦଂପତି ଏହି ଅର୍ଥରାଶିକୁ ତିନିବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରୁ ଉଠାଣ କରପାରିବେ ନାହିଁ ।

ବର୍ତମାନ ସୁଦ୍ଧା ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାରେ ୫୪୩ ହିତାଧିକାରୀ ଦମ୍ପତି ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି । ଏ ବାବଦରେ ସମୁଦାୟ ୨ କୋଟି ୬୫ ଲକ୍ଷ ୩୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଗତ ୫ ବର୍ଷ ଭିତରେ ପ୍ରାୟ ୩ ହଜାର ୮୦୦ଟି ଦମ୍ପତି ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି । ଜିଲ୍ଲାୱାରୀ ସବୁଠାରୁ ଅଧିକ ବାଲେଶ୍ୱର, ଦ୍ୱିତୀୟରେ କଟକ ଓ ତୃତୀୟରେ ଜଗତସିଂହପୁର ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି ।