ଶ୍ରୀମନ୍ଦିର ଭିତରେ ଲାଗିବ ୨୩ଟି ସିସିଟିଭି

0
406
jagannath temple
jagannath temple
ପୁରୀ : ଦାନ ଅର୍ଥ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରାଯିବ ।  ଶ୍ରୀମନ୍ଦିର ପରିସରରେ ୨୩ଟି ସ୍ଥାନରେ ସିସିଟିଭି ଲଗାଯିବ ବୋଲି  ପ୍ରଦୀପ ମହାପାତ୍ର  ସୂଚନା ଦେଇଛନ୍ତି ।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ଦିର ପରିଚାଳନାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନୂଆ ପ୍ରଶାସକ ଭାବରେ ଦାୟିତ୍ୱ ନେବା ପରେ ପ୍ରଦୀପ ମହାପାତ୍ରଙ୍କ ଏହା ପ୍ରଥମ ବୈଠକ ହୋଇଥିଲା ବେଳେ ଏସମ୍ବନ୍ଧରେ ସେ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

ବୈଠକରେ ହୋଇଥିବା ନିଷ୍ପତିର ସୂଚନା ଦେବାକୁ ଯାଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ମନ୍ଦିରରେ ହେଉଥିବା ବିଭିନ୍ନ ବିବାଦକୁ ନେଇ ସୁପ୍ରିମକୋର୍ଟ ଯେଉଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସେଥିରେ ଜିଲ୍ଲା ଜଜ୍‌ଙ୍କ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସବୁ ତଥ୍ୟ ଯୋଗାଇ ଦିଆଯିବ। ଦାନ ଅର୍ଥ ପ୍ରସଙ୍ଗରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରାଯିବ । ଏହା ସହ ଶ୍ରୀମନ୍ଦିର ପରିସରରେ ୨୩ଟି ସ୍ଥାନରେ ସିସିଟିଭି ଲଗାଯିବ । କୋର୍ଟ ପୂର୍ବରୁ ଦେଇଥିବା ଶପଥପାଠ ନିର୍ଦ୍ଦେଶ ନେଇ ମଧ୍ୟ ଆଲୋଚନା କରାଯାଇଛି । ସୁପ୍ରିମକୋର୍ଟରେ କ’ଣ ସତ୍ୟପାଠ ଦାଖଲ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି।

ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ରାଜ୍ୟ ସରକାର ତଦନ୍ତ କମିଶନ ଗଠନ କରିଛନ୍ତି । ଏହି ତଦନ୍ତ କମିଶନଙ୍କ ରିପୋର୍ଟ ଆସିବା ପରେ ଚାବି ହଜିବା ନେଇ ଆଲୋଚନା କରାଯିବ । ଜଷ୍ଟିସ୍ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ତଦନ୍ତ କମିଶନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତଦନ୍ତ କମିଶନ ମନ୍ଦିରରୁ ଯାହା ତଥ୍ୟ ମାଗିବେ ତାହା ଯୋଗାଇ ଦିଆଯିବ ବୋଲି ସ୍ଥିର କରାଯାଇଛି । ଏହା ସହ ସ୍ନାନ ପୁର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସମସ୍ତ ନୀତିନିର୍ଘଣ୍ଟ ବୈଠକରେ ପାରିତ ହୋଇଯାଇଛି ।

ଅପରପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୋବର୍ଦ୍ଧନ ପୀଠକୁ ଜମି ହସ୍ତାନ୍ତର ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଗୋବର୍ଦ୍ଧନ ପୀଠର ଜମି ଶ୍ରୀ ଜଗନ୍ନାଥ ମନ୍ଦିରକୁ ଚାଲିଯିବା ଅଭିଯୋଗ ପ୍ରସଙ୍ଗରେ ଆଲୋଚନା ହେବା ପରେ ଏହାର ସମାଧାନ ପାଇଁ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। କମିଟିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପି ସଦସ୍ୟ ଅଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ଏହି ପ୍ରସଙ୍ଗର ସମାଧାନ ପାଇଁ କମିଟି ଉଦ୍ୟମ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।