ହୀରାକୁଦରେ ଖୋଲିବ ୨୫ ଗେଟ୍ : ମହାନଦୀରେ ବନ୍ୟା ଆଲର୍ଟ

0
424
hirakud to open 25 gates today
hirakud to open 25 gates today
ଭୁବନେଶ୍ୱର : ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମର ୨୫ଟି ଗେଟ ଖୋଲା ଯିବ । ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଯାଇଛି । ସତର୍କ ସୂଚନା ଜାରି କରାଯାଇଥିବାବେଳେ ଜିଲ୍ଲାପାଳମାନଙ୍କୁ ସଜାଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମହାନଦୀ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧିକୁ ଆଖି ଆଗରେ ରଖି ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମର ୨୫ଟି ଗେଟ ଖୋଲା ଯିବାକୁ ନିଷ୍ପତି ନିଆଯାଇଛି । ବର୍ତ୍ତମାନ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଆଉ ୫ଟି ଗେଟ ଖୋଲାଯିବ। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷରୁ ମହାନଦୀ ଅବବାହିକାରେ ଥିବା ସମସ୍ତ  ଜିଲ୍ଲାପାଳମାନଙ୍କୁ ସଜାଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମହାନଦୀର ଉପରମୁଣ୍ଡ ଛତିଶଗଡ ଅଂଚଳରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଫଳରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାର ର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତମାନ ଏହା ୬୨୨.୩୮ଫୁଟରେ ପହଂଚିଛି । ବର୍ତମାନ ହିରାକୁଟ ଡ୍ୟାମକୁ ପ୍ରତି ସେକେଣ୍ଡରେ ୧,ଲକ୍ଷ ୩୪ ହଜାର ୭୨୭କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୦ଟି ଗେଟ ଦେଇ ୨ଲକ୍ଷ ୫୧ ହଜାର ୧୪୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

୨୫ ଟି ଗେଟ ଖୋଲାହେଲେ ପାଖାପଖି ୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବାର ସମ୍ଭାବନା ରହିଥିବା ବେଳେ ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ ସମେତ ମହାନଦୀ ଅବବାହିକାରେ ଥିବା ଅନ୍ୟ ଜିଲ୍ଲାଗୁଡିକରେ ବନ୍ୟା ଆଶଙ୍କାରେ ଆଲର୍ଟ ଜାରି କରାଯାଇଛି ।

ସମ୍ବଲପୁର ଜିଲ୍ଲାପାଳଙ୍କୁ ତଳିଆ ଅଂଚଳର ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସମ୍ବଲପୁର ଓ ଅନ୍ୟ ଜିଲ୍ଲା ଗୁଡିକରେ ଏନଡିଆର୍‌ଏଫ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୬ ଲକ୍ଷ୍ୟ କ୍ୟୁସେକ ଜଳ ପ୍ରବାହିତ ହେବ ଓ ଗୁରୁବାର ସକାଳ ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବ ବୋଲି ସୂଚନା ମିଳିଛି ।