ଖଣିଜ ଅଂଚଳର ବିକାଶ ପାଇଁ ୨୮୦୦ କୋଟି ମଞ୍ଜୁର

0
312
chief secretary
chief secretary

ଭୁବନେଶ୍ୱର : ଖଣିଜ ଅଂଚଳର ବିକାଶ ପାଇଁ ଓଡିଶା ଖଣିଜ ଅଂଚଳ ଉନ୍ନୟନ ନିଗମ(ଓମ୍ବାଡସି) ପାଣ୍ଠିରୁ ୨୮୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସେସବୁ ଅଂଚଳରେ ନିର୍ମାଣାଧୀନ ସମସ୍ତ ଗୃହ ନିର୍ମାଣ ପ୍ରକଳ୍ପ ଅଗଷ୍ଟ ୧୫ ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଜିଲ୍ଲାର ଜିଳ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁକ୍ରବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓମ୍ବାଡସି ପାଣ୍ଠି ବିନିଯୋଗ ନେଇ ଅନୁଷ୍ଠିତ ବୋର୍ଡସ ଅଫ ଡାଇରେକ୍ଟରସ ବୈଠକରେ ୨୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା । ଖଣିଜ ଞ୍ଚଅଂଚଳରେ ଜଳ ଓ ବାୟୁ ପ୍ରଦୁଷଣ ସ୍ତର ନିୟମିତ ଭାବେ ଯାଂଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଦୁଷଣ ବୋର୍ଡ ଅଧିକାରୀଙ୍କୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ ।

ଓମ୍ବାଡସି ପାଣ୍ଠି ବିନିଯୋଗରେ ହେଉଥିବା ପ୍ରକଳ୍ପ ମଧ୍ୟରେ ଆଦିବାସୀ, ହରିଜନ, ପଛୁଆବର୍ଗ ସ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଯୁବତୀମାନଙ୍କ ପାଇଁ କୌଶଳ ବିକାଶ ତାଲିମ, ଉଦ୍ୟାନ କୃଷି, ମେଗା ଉଠା ଜଳସେଚନ, ଅଦର୍ଶ ବିଦ୍ୟାଳୟ ସୁଦୃଢ଼ୀକରଣ, ଉଠା ଜଳସେଚନ ସୁବିଧା ଥିବା ଚେକ ଡ୍ୟାମ୍, ଓଭର ବ୍ରିଜ, ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ ଆଦି ପ୍ରକଳ୍ପ ରହିଛି । ରାଜ୍ୟର ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେଉଁଝର, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ରାୟଗଡା, ମୟୁରଭଞ୍ଜ ଆଦି ୯ଟି ଜିଳ୍ଲାରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ପ୍ରକଳ୍ପ କାର୍ଯ୍ୟ ଚାଲୁଛି । ପୂର୍ବରୁ ଏହିସବୁ ଜିଲ୍ଲାରେ ୩୫୧୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁଛି ବୋଲି ଓମ୍ବାଡସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଉମା ନନ୍ଦୁରୀ ସୂଚନା ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଣନ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନିକାନ୍ତ ପାଣ୍ଡେ, ଖଣି ଓ ଇସ୍ପାତ ବିଭାଗ ପ୍ରମୁଖ ଶାସନ ସଚିବ ଆର କେ ଶର୍ମା, ପଂଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂ, ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଡ. ମୋନା ଶର୍ମା, ପିସିସିଏଫ ସନ୍ଦିପ ତ୍ରିପାଠୀଙ୍କ ସମେତ ବୋର୍ଡର ସଦସ୍ୟ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।