ଓଡିଶାରେ ୩ . ୧୨ କୋଟି ଭୋଟର

0
459
3.12 crore voter in odisha
3.12 crore voter in odisha
ଭୁବନେଶ୍ୱର : ଆଜିଠାରୁ ସଂକ୍ଷିପ୍ତ ଭୋଟର ତାଲିକା ଆରମ୍ଭ ହୋଇଛି । ପ୍ରସ୍ତୁତ ଚିଠା ଭୋଟର ତାଲିକାରେ ରାଜ୍ୟରେ ଭୋଟର ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ । ୨୦୧୯ ଜାନୁଆରୀ ୪ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି ।

ଶନିବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ପ୍ରସ୍ତୁତ ଚିଠା ଭୋଟର ତାଲିକାରେ ରାଜ୍ୟରେ ଭୋଟର ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ । ସେଥିମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧କୋଟି ୬୧ ଲକ୍ଷ ୧୪ ହଜାର ୨୦୦ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୫୧ ଲକ୍ଷ ୩୬ ହଜାର ୩୮ ।

ଏହି ଭୋଟର ମାନଙ୍କ ମଧ୍ୟରେ ୨୦୯୭ କିନ୍ନର ଭୋଟର ରହିଛନ୍ତି । ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାରେ ମହିଳା , ଅନୁସୂଚିତ ଜାତି ଓ ଜନଜାତି , ଦିବ୍ୟାଙ୍ଗ , କିନ୍ନର ମାନଙ୍କୁ ସାମିଲ କରିବା ଉପରେ ପ୍ରାଥମିକତା ଦିଆଯାଇଥିଲା । ଚିଠା ଭୋଟର ତାଲିକା ପ୍ରକାଶନ ପରେ ଦାବି ଓ ଆପତି ଦାଖଲ ପାଇଁ ୧.୦୯.୨୦୧୮ ଠାରୁ ୩୧.୧୦.୨୦୧୮ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ । ଦାବି ଏବଂ ଆପତି ଫଇସଲା ୩୦.୧୧.୨୦୧୮ ସୁଦ୍ଧା କରାଯିବ ଏବଂ ଜାନୁଆରୀ ୪ ୨୦୧୯ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

ଦାବି ଓ ଆପତି ଦାଖଲ ପାଇଁ ଭୋଟରମାନେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର, ବ୍ଲକ୍, ମ୍ୟୁନିସପାଲଟି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଠା ଭୋଟର ତାଲିକା ତନଖି କରିପାରିବେ । ଭୋଟର ନିଜର ନାମ ପଂଜୀକୃତ ହୋଇଛିକି ନାହିଁ ବା ଏହା କେଉଁ ମତଦାନ କେନ୍ଦ୍ରରେ ଅଛି ତାହା ସିଇଓଙ୍କ ୱେସାଇଟ୍ www.ceoorissa.nic.in କିମ୍ବା www.nvsp.in ରେ ଲଗଇନ୍ କରି ଜାଣିପାରିବେ । ଭୋଟର ତାଲିକାରେ ନାମ ପଂଜୀକରଣ କରିବା ନିମନ୍ତେ ଯୋଗ୍ୟ ଭୋଟର ଫର୍ମ ନଂ ୬ ନେବେ ।

ସେଥିରେ ନିଜର ରଙ୍ଗୀନ ପାସପୋର୍ଟ ଫଟୋ , ଜନ୍ମ ତାରିଖ ଓ ବାସସ୍ଥାନ ପ୍ରମାଣପତ୍ର ସହ ବିଏଲଓଙ୍କ ନିକଟରେ ଦାଖଲ କରିପାରିବେ । ଏଥିପାଇଁ ପ୍ରତି ବ୍ଲକ୍ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ରର ସହାୟତା ନେଇପାରିବେ । ନତୁବା ସିଇଓଙ୍କ ୱେସାଇଟ୍ ରେ ଅନଲାଇନ୍ ଆବେଦନ କରିପାରିବେ । ଅନଲାଇନ୍ ରେ ଦେଇଥିବା ଦରଖାସ୍ତର ଷ୍ଟାଟସ୍ ମଧ୍ୟ ଜାଣି ପାରିବେ । ମୃତ , ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କ ନାମ ବାଦ୍ କରିବା ନିମନ୍ତେ ଫର୍ମ ୭ରେ ଆବେଦନ କରିପାରିବେ ।ଅନଲାଇନ୍ ରେ ମଧ୍ୟ ଏଥିପାଇଁ ଆବେଦନ କରିହେବ ।

କୌଣସି ବ୍ୟକ୍ତି ଏକାଧିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ନାମ ପଂଜୀକୃତ କରିବା ବେଆଇନ୍ ଏବଂ ଦଣ୍ଡନୀୟ ଅପରାଧ । ଏଥିପାଇଁ ଉଭୟ ଜେଲ ଓ ଜୋରିମାନେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଭୋଟର ତାଲିକା ବା ଭୋଟର ପରିଚୟପତ୍ରରେ ନିଜ ନାମ, ସମ୍ପକୀୟଙ୍କ ନାମ, ବୟସ, ଲିଙ୍ଗ, ଫଟୋ ଜନ୍ମ ତାରିଖରେ କିଛି ତ୍ରୁଟି ଥିଲେ ଫର୍ମ ନଂ ୮ ନେଇ ଆବଶ୍ୟକୀୟ ପ୍ରମାଣପତ୍ର ସହ ଆବେଦନ କରିପାରିବେ ।

ଗତ ସାଧାରଣ ନିର୍ବାଚନ ୨୦୧୪ରେ ୩୫ ହଜାର ୮୯୬ଟି ଭୋଟ ଗ୍ରହଣ କେନ୍ଦ୍ର ଥିଲା । ଆଗାମୀ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଭୋଟ ଦାନ କେନ୍ଦ୍ର ଗୁଡିକର ପୁନର୍ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ , ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ୨୯୪ଟି ଭୋଟ ଗ୍ରହଣ କେନ୍ଦ୍ର ଉଚ୍ଛେଦ କରାଯାଇଛି । ୨୦୪ଟି ନୂତନ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି ।

ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ଏବେ ରାଜ୍ୟରେ ୩୭୬୦୬ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଗତ ମାସ ୩୦ ତାରିଖରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବୁଥ୍ ଲେଭଲ ଏଜେଂଟ ନିଯୁକ୍ତ କରିବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି । ସେହିପରି ଶିକ୍ଷାନୁଷ୍ଠାନଗୁଡିକର ମୁଖ୍ୟମାନଙ୍କୁ ଯୁବ ଭୋଟର ମାନଙ୍କୁ ସାମିଲ କରାଇବା ପାଇଁ ସଚେତନତା ସୃଷ୍ଟଇ ପାଇଁ କୁହାଯାଇଛି ।