ଜମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ସେନା ଏକ ବଡ଼ ସଫଳତା ପାଇଛି । ସୀମାରେ ସେନାର ଏନ୍କାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲା ଶ୍ରୀଗୁଫାରାରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ମୃତ ଆତଙ୍କବାଦୀମାନଙ୍କର ଇସଲାମିକ୍ ଷ୍ଟେଟ୍ ଅଫ୍ ଜାମ୍ମୁ କାଶ୍ମୀର (ଆଇଏସ୍ଜେକେ) ସଂଗଠନ ସହିତ ସଂପର୍କ ଥିବା ଜମ୍ମୁ କାଶ୍ମୀର ଡିଜିପି ଏସ୍ ପି ବୈଦ ସୂଚନା ଦେଇଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ମଧ୍ୟ ଶହୀଦ ହୋଇଥିବା ଡିଜିପି କହିଛନ୍ତି । ତେବେ ମୃତ ଆତଙ୍କୀ ମଧ୍ୟରେ ଆଇଏସଜେକେର ମୁଖ୍ୟ ଦାଉଦ ସାମିଲ ଥିବା ଜାତୀୟ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଖବର ମିଳିଛି । ସମସ୍ତେ କାଶ୍ମୀରର ଅଟନ୍ତି ବୋଲି ଜଣାପଡ଼ିଛି ।
ଦକ୍ଷିଣ କାଶ୍ମୀରର ଶ୍ରୀଗୁଫାରା ଅଂଚଳରେ ଜଣଙ୍କ ଘରେ ଆତଙ୍କାବଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିବା ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ସେମାନେ ଘର ମାଲିକଙ୍କୁ ବନ୍ଦୀ କରି ରଖିଥିଲେ । ତେବେ ସୁରକ୍ଷାବଳ ସଂପୂର୍ଣ୍ଣ ଅଂଚଳକୁ ଘେରାଉ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳିବର୍ଷା କରିବାକୁ ଲାଗିଲେ । ଏହା ପରେ ସେନା ତାର ପାଲଟା ଜବାବ ଦେଇଥିଲେ । ସେନାର ଅତର୍କିତ ଆକ୍ରମଣରେ ଧରାସାୟୀ ହୋଇପଡ଼ିଥିଲେ ୪ ଆତଙ୍କୀ । ସମସ୍ତେ ଆଇଏସ୍ଜେକେ ସଂଗଠନର ବୋଲି ଜଣାପଡ଼ିଛି । ଯାହାକି ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନ୍ୟପକ୍ଷରେ ଏଥିରେ ଜଣେ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି । ଘର ମାଲିକଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି ।
ଜଣେ ଅଧିକାରୀଙ୍କ କହିବା ମୁତାବକ କିଛି ଯୁବକ ଗୁଳିବିନିମୟ ସମୟରେ କାର୍ୟ୍ୟରତ ଯବାନଙ୍କ ଉପରକୁ ପଥରମାଡ଼ କରିଛନ୍ତି । ଏହା ପରେ ସୁରକ୍ଷାବଳ ସେମାନଙ୍କୁ ସାମ୍ନା କରିବାକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଯେଉଁଥିରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି । ତେବେ ସଂପୃକ୍ତ ଅଂଚଳରେ ପ୍ରଶାସନ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଛି । ଏହା ସହିତ ଶ୍ରୀନଗର, ଅନନ୍ତନାଗ ଓ ଫୁଲୱାମାରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଇଏସ୍ଜେକେ ସଂଗଠନ ଆଇଏସ୍ଆଇଏସ୍ର ଏକ ଅଂଶ ବୋଲି ଜଣାଯାଏ । ଏଥିରେ ଯୁବକଙ୍କୁ ଇସଲାମ୍ ନାମରେ ବୋକା ବନାଇ ଦେଶ ବିରୋଧୀ କାର୍ୟ୍ୟରେ ନିୟୋଜିତ କରାଯାଇଥାଏ । ତେବେ ଗତ ମଙ୍ଗଳବାର ପୁଲୱାମାରେ ହୋଇଥିବା ଗୁଳିବିନିମୟରେ ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।