ଡବଲିନ : ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଗୋଟିଏ ପାଳିରେ ସର୍ବାଧିକ ସ୍କୋର କରିବାର ବିଶ୍ଵ ରେକର୍ଡ ନିଜ ନାମରେ କରିଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍ ଦଳ।
ଶୁକ୍ରବାର ନ୍ୟୁଜିଲାଣ୍ଡ ଦଳ ଆୟରଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟ୍ ବିନିମୟରେ ୪୯୦ ରନର ବିଶାଳ ସ୍କୋର କରିଛି। ଯାହା ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁରୁଷ ଓ ମହିଳା କ୍ରିକେଟରେ ସର୍ବୋଚ୍ଚ ସ୍କୋର। କିଓ୍ଵି ଦଳ ପକ୍ଷରୁ ଅଧିନାୟକ ସୁଜି ବେଟ୍ସ ସର୍ବାଧିକ ୧୫୧ ରନ କରିଛନ୍ତି। ସେ ଧୂଆଁଧାର ବ୍ୟାଟିଂ କରି ୪୯ଟି ବଲରୁ ୨୪ଟି ଚୌକା ଓ ୨ଟି ଛକା ବଳରେ ଏହି ରନ କରିଛନ୍ତି। ତାଙ୍କ ବ୍ୟତୀତ ମ୍ୟାଡି ଗ୍ରୀନ ୧୨୧ ରନର ଦମଦାର ପାଳି ଖେଳିଛନ୍ତି।
ନିଜର ଏହି ଶତକୀୟ ପାଳିରେ ସେ ୭୭ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୨ ଛକା ମାରିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଜଦେସ ଓ୍ଵାକିସନ ୬୨ ଓ ଅମେଲିଆ କର ୮୧ ରନର ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଆୟରଲାଣ୍ଡ କାର ମରେ ୧୦ ଓଭରରେ ୧୨୧ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଲୋଉସି ଲିଟଲ ଓ ଲାରା ମାରିଟଜ ୯୨ ଲେଖାଏଁ ରନ ଦେଇଛନ୍ତି।
ଏହା ପୂର୍ବରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବୋଚ୍ଚ ସ୍କୋରର ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ଥିଲା। କିଓ୍ଵିର ମହିଳା ଦଳ ପାକିସ୍ତାନ ବିପକ୍ଷରେ ୧୯୯୭ ଜାନୁଆରୀ ୨୯ରେ କ୍ରୀଷ୍ଟଚର୍ଚ୍ଚରେ ୫ ଓ୍ଵିକେଟ୍ ବିନିମୟରେ ୪୫୫ ରନ କରିଥିଲା। ପୁରୁଷ କ୍ରିକେଟରେ ଗୋଟିଏ ପାଳିରେ ସର୍ବୋଚ୍ଚ ସ୍କୋର କରିବାର ରେକର୍ଡ ଇଂଲଣ୍ଡ ନାମରେ ରହିଛି। ଦଳ ୨୦୧୬ ଅଗଷ୍ଟ ୩୦ରେ ପାକିସ୍ତାନ ବିପକ୍ଷରେ ନର୍ଟିଂହାମରେ ୩ ଓ୍ଵିକେଟ୍ ବିନିମୟରେ ୪୪୩ ରନ କରିଥିଲେ।