ରାହୁଲଙ୍କ ଚେତାବନୀ : ବିବାଦୀୟ ବୟାନ ଦେଲେ କାର୍ଯ୍ୟାନୁଷ୍ଠାନ

0
431
rahul gandhi
rahul gandhi
ନୂଆଦିଲ୍ଲୀ  : ପାର୍ଟିର କୌଣସି ନେତା ବିବାଦୀୟ ବୟାନ ଦେଲେ, ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବି ନାହିଁ ଏହି ଚେତାବନୀ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

କାର୍ୟ୍ୟକାରିଣୀ କମିଟି ବୈଠକରେ ନେତାଙ୍କୁ ଚେତାବନୀ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ବଡ଼ ଲଢେଇ ଲଢୁଛି। ପାର୍ଟି ଫୋରମରେ ସମସ୍ତଙ୍କୁ ନିଜର କଥା ରଖିବାର ଅଧିକାର ରହିଛି। ମାତ୍ର ପାର୍ଟିର କୌଣସି ନେତା ଭୁଲ ବୟାନ ଦିଅନ୍ତି କିମ୍ବା ଲଢେଇକୁ ଦୁର୍ବଳ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବି ନାହିଁ।

ସମ୍ଭବତଃ ରାହୁଲ ଗାନ୍ଧୀ ଶଶି ଥରୁରଙ୍କ ହିନ୍ଦୁ ତାଲିବାନ ଓ ହିନ୍ଦୁ ପାକିସ୍ତାନ ବୟାନରେ ଅସନ୍ତୁଷ୍ଟ ଅଛନ୍ତି। ଉଲ୍ଲେଖଯୋଗ୍ୟ  କେରଳର ସାଂସଦ ଶଶି ଥରୁର ନିକଟରେ ହିନ୍ଦୁ ପାକିସ୍ତାନ ଓ ହିନ୍ଦୁ ତାଲିବାନ ବୟାନକୁ ନେଇ ବିବାଦରେ ରହିଥିଲେ। ପ୍ରଥମେ ଥରୁର ମୋଦୀ ସରକାର ୨୦୧୯ରେ ଜିତିଲେ  ଭାରତ  ହିନ୍ଦୁ ପାକିସ୍ତାନରେ ପରିଣତ ହେବ। ଏହା ପରେ ସେ ବିଜେପିକୁ ଟାର୍ଗେଟ୍ କରି କହିଥିଲେ ଯେ ବିଜେପି ହିନ୍ଦୁତ୍ଵର ତାଲିବାନୀକରଣ କରିବାକୁ ଚାହୁଁଛି।  ବିଜେପି କ୍ରମାଗତ ଏହି ବୟାନକୁ ନେଇ ଥରୁର, କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଘେରିବାରେ  ଜୁଟି ଯାଇଛି।

ବୈଠକରେ ରାହୁଲ ଗାନ୍ଧୀ ବିଜେପି ଗରିବ ଓ ଦଳିତଙ୍କ ଦମନ  କରୁଥିବା ଅଭିଯୋଗ କରିଛନ୍ତି। ପାର୍ଟି କାର୍ୟ୍ୟକର୍ତ୍ତାଙ୍କୁ ଦେଶର ଗରିବଙ୍କ ପାଇଁ  ଲଢିବାକୁ ସେ ଆହ୍ଵାନ କରିଛନ୍ତି। ରାହୁଲ ଗାନ୍ଧୀ ଆଜି ନୂତନ କଂଗ୍ରେସ କାର୍ୟ୍ୟକାରିଣୀ ବୈଠକର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି। ରାହୁଲ କଂଗ୍ରେସକୁ ଭାରର ସ୍ଵର ଦର୍ଶାଇ କହିଛନ୍ତି ଯେ ପାର୍ଟି ଦେଶର  ଭବିଷ୍ୟତ ପାଇଁ ଏବଂ ବର୍ତ୍ତମାନ ପାଇଁ ଦାୟୀ ଅଟେ।

କାର୍ୟ୍ୟକାରିଣୀ ବୈଠକରେ ୟୁପିଏର ଅଧ୍ୟକ୍ଷ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ  କହିଛନ୍ତି ଯେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମହାମେଣ୍ଟ ଜରୁରୀ ଅଟେ। ତେଣୁ ସମାନ ବିଚାରଧାରା ରଖୁଥିବା ଦଳକୁ ନିଜର ମହତ୍ଵାକାଂକ୍ଷୀ ଛାଡି ଏକାଠି ଆସନ୍ତୁ ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି ଯେ ଆମେ ମେଣ୍ଟ କରିବା ଓ ଏହାକୁ ସଫଳ କରିବା ପାଇଁ ପ୍ରତିବଦ୍ଧ ଅଟୁ। ଏହି ପ୍ରୟାସରେ ଆମେ ସମସ୍ତେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଅଛୁ। ଆମକୁ ବିପଦଜ୍ଜନକ ଶାସନ କରୁଥିବା ଲୋକଙ୍କଠୁ ଦେଶକୁ ବଞ୍ଚାଇବାକୁ ପଡ଼ିବ।