ଉପସ୍ଥାପିତ ହେଲା ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌

0
334
sashibhusan behera placing additional budget
sashibhusan behera placing additional budget
ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨,୭୯୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ଆଜି ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ।  ବିଭିନ୍ନ କାର୍ଯ୍ୟକ୍ରମ ବ୍ୟୟ ବରାଦ ପାଇଁ ୯,୬୧୧ କୋଟି,  ପ୍ରଶାସିନକ ବ୍ୟୟ ପାଇଁ ୧୮୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୩୬୪ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତରଣ ବାବଦକୁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ସତ୍ୱେ ଆଜି ଅତିରିକ୍ତ ବଜେଟ୍‌ ଆଗତ ହୋଇଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨,୭୯୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମେକ୍‌ ଇନ୍‌ ଓଡ଼ିଶା, ହକି ବିଶ୍ୱ କପ୍‌ ଆଦି ଅନ୍ତର୍ଭୁକ୍ତ ରହିଛି । ବଜେଟ ଉପସ୍ଥାପନ ପରେ ବାଚସ୍ପତି ପ୍ରଦୀପ ଅମାତ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

 

୧୨ ହଜାର ୭୯୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ପ୍ରଶାସନିକ ବ୍ୟୟବରାଦରେ ଶିକ୍ଷା ସହାୟକଙ୍କ ନିୟମିତ ଦରମା ବାବଦକୁ ୭୫୦ କୋଟି ଟଙ୍କା ଅଟକଳ କରାଯାଇଥିବାବେଳେ ସୁଧ ରାଶି ପୈଠ ପାଇଁ ୩୫୦ କୋଟି, ଏକକ ନିର୍ବାଚନ ପରିଚାଳନା ପାଇଁ ୪୧ କୋଟି, ସଡ଼କ ରକ୍ଷଣାବେକ୍ଷଣା ପାଇଁ ୧୦୦ କୋଟି ଓ ଓଲଆଇସିକୁ ଅନୁଦାନ ଓ ଆର୍ଥିକ ପ୍ରୋତ୍ସାହନ ପାଇଁ ୩୧ ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସେହପିରି କାର୍ଯ୍ୟକ୍ରମ ବ୍ୟୟ ବରାଦରେ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ର ପାଇଁ ୫,୨୭୬ କୋଟି ଟଙ୍କା ରହିଛି । ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ବିଜୁ ପକ୍କା ଘର ପାଇଁ ୧୫୦୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୨ ହଜାର ୬୫ କୋଟି, ସ୍ୱଚ୍ଛ ଭାରତ ମିଶନ ପାଇଁ ୧୦୦୦ କୋଟି ଓ ଜାତୀୟ ଗ୍ରାମୀଣ ମିଶନ ପାଇଁ ୨୧୧ କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଅନ୍ୟପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୦୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ନଦାନ, ନିରାମୟ, ନିର୍ମଳା, ସୁନେତ୍ର ଆଦି ଯୋଜନା ଅନ୍ତର୍ଭୁକ୍ତ ରହିଛି । ସେହିପରି ବିଜୁ ଗ୍ରାମ ଯୋଜନା ପାଇଁ ୭୫ କୋଟି ଓ ଟଙ୍କିକିଆ ଚାଉଳ ପାଇଁ ୮୧ କୋଟି,  ରାଜଧାନୀର ବିଭିନ୍ନ ପ୍ରକଳ୍ପ ପାଇଁ ୬୮ କୋଟି, ସମନ୍ୱିତ ଶିଶୁ ଉନ୍ନୟନ ଯୋଜନା ପାଇଁ ୮୦ କୋଟି, ବିଜୁ ଏକ୍ସପ୍ରେସ୍‌ ୱେ ୩୦ କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୩୫ କୋଟି, ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ୧୨ କୋଟି, ସବୁଜ ମହାନଦୀ ମିଶନ ୩୦ କୋଟି, ଆଦିବାସୀ ଅଂଚଳରେ ମିଲେଟର୍‌ ପ୍ରୋତ୍ସାହନ ନିମିତ୍ତ ୧୦୦ କୋଟି ଏବଂ ପୋଷଣୀୟ କୃଷି ଓ ଜାତୀୟ ଉଦ୍ୟାନ ମିଶନ ପାଇଁ ୪୫ କୋଟି ଟଙ୍କା ଲେଖାଏଁ ବ୍ୟୟ ବରାଦ କରାଯାଇଛି ।

ସେହିପରି ଆଗାମୀ ହକି ବିଶ୍ୱ କପ୍‌ ପାଇଁ ୨୩ କୋଟି ରଖାଯାଇଥିବା ବେଳେ କ୍ରୀଡ଼ା ଭିତ୍ତିଭୂମି ପାଇଁ ୨୩ କୋଟି ରହିଛି । ଅନ୍ୟପକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି, ଜଗନ୍ନାଥ ମନ୍ଦିର ଅବଢ଼ା ଯୋଜନା, ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ, ବସ୍‌ ଟର୍ମିନାଲ ଓ ଆନୁସଙ୍ଗୀକ ଭିତ୍ତିଭୂମିର ଉନ୍ନତିକରଣ,  ପଛୁଆ ବର୍ଗ ଓ ସଂଖ୍ୟା ଲଘୁଙ୍କ ପାଇଁ ଆବାସ ନିର୍ମାଣ ନିମନ୍ତେ ୨୦ କୋଟି ଟଙ୍କା ଲେଖାଏଁ ବ୍ୟୟ ଅଟକଳ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ,  ବଜେଟ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ନିଆଯାଇଥିବା ନିଷ୍ପତି, ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପରବର୍ତ୍ତୀ ଯୋଜନା ଓ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତ୍ତୀତ ଯୋଜନା ପ୍ରଣୟନ, ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ଇତ୍ୟାଦି ପାଇଁ ଅତିରିକ୍ତ ବ୍ୟୟବରାଦର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷର ମୂଳ ବଜେଟ ଥିଲା ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା  ।