ଦାମଙ୍କୁ କାଉଂଟର : ବିଷ୍ଣୁ ପରେ ବାହରିଲେ ସୂର୍ଯ୍ୟ

0
485
dama-surya face off
dama-surya face off

ଭୁବନେଶ୍ୱର : ବିଜେଡିକୁ ଦାମ ଭୟ ଘାରିଛି । ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କୁ ଟାର୍ଗେଟ କରୁଥିବା ଦାମଙ୍କୁ କାଉଂଟର କରିବାକୁ ବିଷ୍ଣୁଙ୍କ ପରେ ଏବେ ବାହାରିଛନ୍ତି ସୂର୍ଯ୍ୟ । ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦାମ ଅଣ୍ଡିରା ପଣିଆ ଦେଖାଇଲେ ନାହିଁ କାହିଁକି ବୋଲି  ପ୍ରଶ୍ନ କରିବା ସହ ନବୀନଙ୍କୁ ଦୋହଲାଇ ପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ସୂର୍ଯ୍ୟ । ଏହାର ଜବାବରେ ଦାମ କହିଛନ୍ତି ସରକାରୀ ସମ୍ପତି ପାଇଁ ସୂର୍ଯ୍ୟ କିଛି ବି କରିପାରନ୍ତି । ଏପରିକି ଚାକର ବି ହୋଇପାରିନ୍ତି ବୋଲି ଦାମ କଟାକ୍ଷ କରିଛନ୍ତି ।

ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା ରାଉତ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡୁଆରେ ପକାଇବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେଡିରୁ ବହିଷ୍ମାର ପରେ ଡା ରାଉତ ସରକାରଙ୍କୁ ଆକ୍ରମଣ ଜୋରଦାର କରିଛନ୍ତି । ବିଜେଡିର ନେତା, ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ବିଜେଡି ପକ୍ଷରୁ ଦାମଙ୍କୁ ପ୍ରତି ଆକ୍ରମଣ କରିବାକୁ ଜଗତସିଂହପୁର ଜିଳ୍ଲା ସଭାପତି ବିଷ୍ଣୁ ଦାସ  ଆଗକୁ ବାହରିଥିବା ବେଳେ ଏବେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମୋର୍ଚ୍ଚ। ସମ୍ଭାଳିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ ଡା ରାଉତ ମନ୍ତ୍ରୀ ଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାଙ୍କ ନିର୍ଦ୍ଦେଶ ପାଳନ ହୋଇ ନଥିବା ବେଳେ ସେ କାହିଁକି ଇସ୍ତଫା ଦେଇ ଅଣ୍ଡିରା ପ୍ରମାଣ ଦେଲେ ନାହିଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦାମ ବାବୁଙ୍କ ମନ୍ତବ୍ୟକୁ ନେଇ ବିଜୁ ପରିବାର ମର୍ମାହତ । ଲକ୍ଷ୍ମଣ ରେଖା ଟପିବା ପରେ ତାଙ୍କୁ ବିଦା କରାଗଲା । ନବୀନ ସରକାରଙ୍କୁ ସେ ହଲାଇ ପାରିବେ ନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହାର କଡା ଜବାବ ଦେଇ ଡା ରାଉତ କହିଛନ୍ତି ଯେ ଶ୍ରୀ ପାତ୍ର ସରକାରୀ ସମ୍ପତି ପାଇଁ ସବୁ କିଛି କରିପାରନ୍ତି ।

ଏପରିକି ମୁଖ୍ୟମନ୍ତ୍ରୀଙ୍କ ଚାକର ବି ହୋଇପାରିନ୍ତି । ସମ୍ପତି ପାଇଁ ବାପା ନାଁ ବି ବଦଳାଇ ପାରନ୍ତି । ପୁଅ ନାଁ ବିପ୍ଳବ ପାତ୍ର, ବାପା ନାଁ ନାରାୟଣ ପାତ୍ର ବି ହୋଇଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମଣରେଖା ସୂର୍ଯ୍ୟ କେବେ ଦେଖିଲେ ବୋଲି ଡା ରାଉତ କହିଛନ୍ତି । ସମବାୟ ଦୁର୍ନୀତି ପ୍ରସଙ୍ଗରେ କ’ଣ ତଦନ୍ତ ନିର୍ଦ୍ଦେଶ ଦେଇଥିଲି , ତାହା ଶ୍ରୀ ପାତ୍ର ଜାଣିଛନ୍ତି ବୋଲି ଡା ରାଉତ କହିଛନ୍ତି । ବିଜେଡି ତଥା ସରକାରଙ୍କୁ ଦାମଙ୍କ ଆଗାମୀ ଟାର୍ଗେଟ କ’ଣ ରହୁଛି ତାହା ଦେଖିବାକୁ ବାକି ଥିବାବେଳେ ବିଜେଡି ପକ୍ଷରୁ ଦାମଙ୍କୁ କିପରି ଓ କିଏ କାଉଂଟର କରିବାକୁ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।