ଇଣ୍ଡୋନେସିଆର ପାଲେମବଙ୍ଗରେ ଚାଲୁଥିବା ଏସିଆନ୍ ଗେମସର ଅଷ୍ଟମ ଦିନରେ ଭାରତକୁ ପାଂଚୋଟି ରୌପ୍ୟ ସହ ତିନୋଟି ବ୍ରୋଞ୍ଜ ପଦକ ମିଳିଛି । ୧୦୦ ମିଟର ମହିଳା ଦୌଡରେ ଓଡିଆ ଝିଅ ଦୂତି ଚାନ୍ଦ ରୌପ୍ୟ ହାସଲ କରଛନ୍ତି ।
ଅଶ୍ୱଚାଳନାରେ ପ୍ରଥମ ରୌପ୍ୟ ଫବାଦ ମିର୍ଜୀ ଦେଶକୁ ଦେଇଥିବା ବେଳେ ଦ୍ୱିତୀୟ ରୌପ୍ୟ ଭାରତୀୟ ଅଶ୍ୱଚାଳନା ଦଳ ସମୁହ ଭାବେ ହାସଲ କରିଛନ୍ତି । ପରେ ଦୌଡରେ ଭାରତକୁ ସିଲଭର ଦେଇଛନ୍ତି ହିମା ଦାସ ଏବଂ ମହମ୍ମଦ ଆନସ୍ ।
ମହିଳା ୪୦୦ ମିଟର ଦୌଡର ଆୟୋଜିତ ଫାଇନାଲରେ ହିମା ୫୦.୭୯ ସେକେଣ୍ଡ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ପୁରୁଷ ୪୦୦ ମିଟର ଦୌଡରେ ମହମ୍ମଦ ଆନସ ୪୫.୬୯ ସେକେଣ୍ଡରେ ଲକ୍ଷ୍ୟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ଉପରେ କବଜା ଜମାଇଛନ୍ତି । ଏହା ସହ ୧୦ହଜାର ମିଟର ଦୌଡରେ ଗଣେଶନ ଲକ୍ଷ୍ମଣ ବ୍ରୋଞ୍ଜ ହାସଲ କରିଛନ୍ତି ।
ସେହିପରି ବ୍ରିଜରେ ଭାରତକୁ ବ୍ରୋଞ୍ଜ ମିଳିଛି । ଏହି ପଦକ ଦେଶକୁ ପୁରୁଷ ଏବଂ ମିକ୍ସଡ୍ ଇଭେଂଟରେ ମିଳିଛି । ବ୍ରିଜକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସିଆନ୍ ଗେମସରେ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ କି, ଆଜି ସକାଳେ ଅଶ୍ୱଚାଳନାରେ ପ୍ରଥମ ରୌପ୍ୟ ଫବାଦ ମିର୍ଜୀ ଦେଶକୁ ଦେଇଥିବା ବେଳେ ଦ୍ୱିତୀୟ ରୌପ୍ୟ ଭାରତୀୟ ଅଶ୍ୱଚାଳନା ଦଳ ସମୁହ ଭାବେ ହାସଲ କରିଥିଲେ । ମିର୍ଜା ଫାଇନାଲରେ ୨୬.୪୦ ସେକେଣ୍ଡରେ ନିଜ ଦୌଡକୁ ପୂରଣ କରି ଦ୍ୱିତୀୟ ସ୍ଥାନ ପକ୍କା କରିଥିଲେ । ଏବଂ ରୌପ୍ୟ ପଦକ ଉପରେ କବଜା କରିଥିଲେ । ସେହିପରି ଭାରତ ଦଳଗତ ପ୍ରତିଯୋଗିତାରେ ଦ୍ୱିତୀୟ ହୋଇ ସିଲଭର୍ ପ୍ରାପ୍ତ କରିଛି । ରାକେଶ କୁମାର, ଅଶିଷ ମଲିକ, ଜିତେନ୍ଦ୍ର ସିଂ ଏବଂ ଫବାଦ ମିର୍ଜାଙ୍କ ଅଶ୍ୱଚାଳନା ଟିମ୍ ୧୨୧.୩୦ ସେକେଣ୍ଡ ସହ ରୌପ୍ୟ ଜିତିଥିଲା ।