ଆଖି ବୁଜିଲେ ଅଟଳ ବିହାରୀ ବାଜପେୟୀ

0
408
vajpayee no more
vajpayee no more
ନୂଆଦିଲ୍ଲୀ  :  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୯୩ ବର୍ଷ ବୟସରେ  ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି।

 ଗତକାଲିଠୁ ବାଜପେୟୀଙ୍କ ସ୍ଵାସ୍ଥ୍ୟରେ ବହୁତ ଅବନ୍ନତି ଘଟିଥିଲା। ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ଦେଖାଯାଇନଥିଲା। ଅାଜି ସନ୍ଧ୍ୟା ୫ଟା ୫ ମିନିଟରେ ଅଟଳ ଶେଷ ନିଦ୍ରାରେ ଶୋଇଛନ୍ତି।

ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ, ମୂତ୍ର ଓ କିଡନୀ ସଂକ୍ରମଣ କାରଣରୁ ବାଜପେୟୀଙ୍କୁ ଜୁନ ୧୧ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସଂକଟାପନ୍ନ ସ୍ଵାସ୍ଥ୍ୟବସ୍ଥାକୁ ଦେଖି ପରିଜନଙ୍କୁ ପୂର୍ବରୁ ହସ୍ପିଟାଲ ଡକାଇ ଦିଆଯାଇଥିଲା।  ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥାକୁ ଦେଖି ପୂର୍ବରୁ ବିଜେପି ନିଜର ସମସ୍ତ କାର୍ୟ୍ୟକ୍ରମ ବାତିଲ କରିଥିଲା।  ବିଜେପିର ସଂସ୍ଥାପକଙ୍କ ମଧ୍ୟରେ ସାମିଲ ବାଜପେୟୀ ୧୯୯୬ରୁ ୧୯୯୯ ମଧ୍ୟରେ ତିନି ଥର ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ।

ସେ ପ୍ରଥମ ଥର ୧୯୯୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ ସରକାର  ୧୩ ଦିନ ପର୍ୟ୍ୟନ୍ତ ରହିଥିଲା। ୧୯୯୮ରେ ସେ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେହି ସମୟରେ ତାଙ୍କ ସରକାର ୧୩ ମାସ ପର୍ୟ୍ୟନ୍ତ ଚାଲିଥିଲା। ୧୯୯୯ରେ ବାଜପେୟୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ଏବଂ ୫ ବର୍ଷର କାର୍ୟ୍ୟକାଳ ପୂରଣ କରିଥିଲେ। ୫ ବର୍ଷର କାର୍ୟ୍ୟକାଳ ପୂରଣ କରିବାରେ ସେ ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ।

ସେ ୧୦ ଥର ଲୋକସଭା ଏବଂ ୨ ଥର ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ। ତାଙ୍କର ଜନ୍ମଦିନ ଡିସେମ୍ବର ୨୫କୁ ସୁଶାସନ ଦିବସ ରୂପେ ପାଳନ କରାଯାଏ। ଅଟଳ ବିହାରୀ ବାଜପେୟୀଙ୍କ ଲୋକପ୍ରିୟତା ଏମିତି ଥିଲା ଯେ କେବଳ ତାଙ୍କର ପାର୍ଟି ହିଁ ନୁହଁ ବିରୋଧୀ  ଦଳର ନେତା ମଧ୍ୟ ତାଙ୍କର ବାଣୀକୁ ଶୁଣୁଥିଲେ ଏବଂ ସମ୍ମାନ ମଧ୍ୟ ଦେଉଥିଲେ।

୨୦୦୫ରେ ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଏବଂ ତେବେଠୁ ନିଜ ଘରେ ହିଁ ରହିଥିଲେ। ଅଟଳ ବିହାରୀ ବାଜପେୟୀଙ୍କୁ ଅନେକ ବର୍ଷରୁ କହିବା ଓ ଲେଖିବାରେ କଷ୍ଟ ହେଉଥିଲା। ତାଙ୍କର ସ୍ଵାସ୍ଥ୍ୟବସ୍ଥା ଏମିତି ଥିଲା ଯେ ସେ କାହାରିକୁ ମଧ୍ୟ ଚିହ୍ନି ପାରୁନଥିଲେ।

 

୨୦୧୫ରେ  ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ତାଙ୍କର ବାସଭବନ ଯାଇ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିଥିଲେ। ଡାକ୍ତର ରଣଦୀପ ଗୁଲେରିଆ ଗତ ତିନି ଦଶନ୍ଧି ଧରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଡାକ୍ତର ରୂପେ ଚିକିତ୍ସା କରି ଆସୁଥିଲେ। ଏମ୍ସରେ ମଧ୍ୟ ସେ ଅଟଳଙ୍କ ଚିକିତ୍ସା କରୁଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଗୁରୁବାର ପୂର୍ବାହ୍ନରେ  ଏମ୍ସ ପହଞ୍ଚି ଅଟଳଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଲାଲକୃଷ୍ଣ ଆଡଭାନୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ଵାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ନେତା ଆଜି ଏମ୍ସ ପହଞ୍ଚି ବାଜପେୟୀଙ୍କୁ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଏହି ପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର ସମସ୍ତ କାର୍ୟ୍ୟକ୍ରମ ବାତିଲ କରି ଦିଲ୍ଲୀ ପହଞ୍ଚିଛନ୍ତି।

ଅଟଳ ବିହାରୀ ବାଜପେୟୀଙ୍କ ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ନିଜର ସମସ୍ତ କାର୍ୟ୍ୟକ୍ରମ ବାତିଲ କରାଯାଇଛି। ଏହା ବ୍ୟତୀତ ବିଜେପି ଶାସିତ ସମସ୍ତ ରାଜ୍ୟରେ ରାଜ୍ୟ ସରକାର ସମସ୍ତ କାର୍ୟ୍ୟକ୍ରମକୁ ମଧ୍ୟ ରଦ୍ଦ କରିଛନ୍ତି।