ଭଦ୍ରକ ମର୍ଡର ଓ ଦୁଷ୍କର୍ମ ଘଟଣା : ପ୍ରତିଶୋଧ ପାଇଁ ବାବୁଆ ହୋଇଥିଲା ଧରମ ପୁଅ

0
406
bhadrak murder accused arrested
bhadrak murder accused arrested
ଭଦ୍ରକ : ଭଦ୍ରକ  ମର୍ଡର ଓ ଦୁଷ୍କର୍ମ ଘଟଣାରେ ହତ୍ୟାକାରୀ ଧରମ ପୁଅ ବାବୁଆ ମହାନ୍ତିକୁ ଗିରଫ କରିଛି ପୋଲିସ ।  ପ୍ରତିଶୋଧ ପାଇଁ   ଧରମ ପୁଅ ହୋଇଥିଲା ବୋଲି ବାବୁଆ କହିଛି ।
ଭଦ୍ରକ ଧାମନଗର ତାଳସିଠା ଗାଁରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ ହୋଇଛି । ଧରମ ପୁଅ ଶେଷରେ ଭଉଣୀକୁ ଦୁଷ୍କର୍ମ କରିବା ସହିତ ବାପା ମା’ଙ୍କୁ ହତ୍ୟା କରିଛି । ଭୁବନେଶ୍ୱରରୁ ପୋଲିସ ହତ୍ୟାକାରୀ ଧରମ ପୁଅ ବାବୁଆ ମହାନ୍ତିକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ପରେ ବାବୁଆ ଚାଞ୍ଚଲ୍ୟ କର ବୟାନ ଦେଇଛି । ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ଅନ୍ୟପକ୍ଷରେ ରବିବାର ଠାରୁ ନିଖୋଜ ଥିବା ବାପା ରବିନ୍ଦ୍ର ବେଉରିଆଙ୍କ ମୃତ ଦେହକୁ ମଧ୍ୟ ଜବତ କରାଯାଇଛି ।

ବାବୁଆର ବୟାନ ମୁତାବକ, ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ଦୀର୍ଘଦିନ ତାଙ୍କ ପରିବାର ଲୋକଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଏମିତି ସେମାନେ ତା’ର ମା’ ପେଟରେ ଶାବଳ ପକାଇ ମାଡ଼ିବସିଥିଲେ । ଯାହାକୁ ଦେଖି ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା ବାବୁଆ । ସେଥିପାଇଁ ସେ ରବୀନ୍ଦ୍ରଙ୍କ ପରିବାରକୁ ଧ୍ୱଂସ କରିବାକୁ ରଚିଥିଲା ଷଡ଼ଯନ୍ତ୍ର । ପ୍ରଥମେ ସେ ରବୀନ୍ଦ୍ରଙ୍କର ଧରମ ପୁଅ ହୋଇଥିଲା ଏବଂ ତାଙ୍କର ନିକଟତର ହୋଇଥିଲା ।

ଗତ ରବିବାରରେ ଏହାକୁ ସେ ଚୂଡ଼ାନ୍ତ ରୂପରେଖ ଦେଇଥିଲା । ପ୍ରଥମେ ରବିନ୍ଦ୍ରଙ୍କୁ କେନାଲ ପାଖକୁ ଡାକି ନେଇ ମଦ ପିଆଇଥିଲା । ନିଶା ହେବା ପରେ ସେ ତାଙ୍କ ହାତ ଗୋଡ଼କୁ କେନାଲ ଭିତରକୁ ଠେଲି ଦେଇଥିଲା । ଏହା ପରେ ରବିନ୍ଦ୍ରଙ୍କ ଘରକୁ ଆସି ଝିଅର ହାତ ଗୋଡ଼ ବାନ୍ଧିବା ସହିତ ତାଙ୍କ ସ୍ତ୍ରୀ ଭକ୍ତିଲତାକୁ ଶିଳପୁଆରେ ଛେଚି ଛେଚି ହତ୍ୟା କରିଛି ବୋଲି ବାବୁଆ ପୋଲିସ ନିକଟରେ ସ୍ୱୀକାର କରିଛି ।

ବାବୁଆ ଭୁବନେଶ୍ୱର ଫେରି ନିଜ ସ୍ତ୍ରୀକୁ ସବୁ କଥା କହିବା ପରେ ସ୍ତ୍ରୀ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଥିଲେ ବୋଲି ବାବୁଆ କହିଛି ।  ଅନ୍ୟପକ୍ଷରେ ରବୀନ୍ଦ୍ରଙ୍କ ମୃତ ଦେହକୁ ଆଜି ନିକଟସ୍ଥ କେନାଲରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ମଦ ବୋତଲ ମଧ୍ୟ ଜବତ କରାଯାଇଛି । ଧାମନଗର ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି ।