ମୋଦୀ ସରକାରଙ୍କ ସଫଳତାକୁ ନେଇ ପ୍ରଶ୍ନ କଲା ବିଜେଡି

0
379
bjd target bjp
bjd target bjp
ଭୁବନେଶ୍ୱର :  ମୋଦୀ ସରକାରଙ୍କ ବିଭିନ୍ନ ସଫଳତାକୁ ନେଇ ଆଙ୍ଗୁଳି ଉଠାଇଛି ବିଜେଡି । କେନ୍ଦ୍ର ସରକାରଙ୍କ ୪ ବର୍ଷର ରିପୋର୍ଟ କାର୍ଡକୁ ନେଇ ପ୍ରଶ୍ନ କରିଛି ଦଳ ।  ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନଙ୍କୁ ୫ଟି ପ୍ରଶ୍ନ ପଚାରିଛି ଶାସକ ଦଳ  । ଏଥି ସହ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛି ଦଳ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ସାମ୍ନାରେ ଏନ୍‍ଡିଏ ସରକାରଙ୍କ ୪ବର୍ଷର ଯେଉଁ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି, ସେଥିରେ ମୋଟାମୋଟି ଭାବରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଏଡେଇ ଯାଇ ଏକ କାଳ୍ପନିକ ଗୋଲାପୀ ଚିତ୍ର ରଖିଛନ୍ତି ।
ଏନ୍‍ଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡରେ ଓଡ଼ିଶା ସଂପର୍କିତ ତଥ୍ୟ ବାସ୍ତବତା ଠାରୁ ବହୁ ଦୂରରେ । ଶ୍ରୀ ପ୍ରଧାନ ଯେଉଁ ତଥ୍ୟ ଓ ସୂଚନା ଦେଇଛନ୍ତି, ସେଥିମଧ୍ୟରୁ ଅନେକ ସତ୍ୟ ଉପରେ ଆଧାରିତ ନୁହେଁ । ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଉପସ୍ଥାପିତ ୫ଟି ପ୍ରସଂଗରେ ସ୍ପଷ୍ଟୀକରଣ ଦାବି କରିବା ସହ ୫ଟି ପ୍ରଶ୍ନ ପଚରାଯାଇଛି । “ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବେ କି ଧର୍ମେନ୍ଦ୍ର? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମବୀଙ୍କ ସହ ଆଲୋଚନା ଲାଗି ସମୟ ନିର୍ଘଣ୍ଟ କରିବେକି? ଶିଳ୍ପ କରିଡର୍‍ରେ ଓଡ଼ିଶାକୁ ସାମିଲ କରିବା ଲାଗି ଉଦ୍ୟମ କରିବେକି? ମହାନଦୀ ଉପରେ ବ୍ରିଜ୍‍ ନିର୍ମାଣ ଲାଗି ରମଣ ସିଂହଙ୍କୁ କହିବେକି? ତେଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରାଇବେ କି” ବୋଲି ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ପ୍ରଶ୍ନ କରିଛନ୍ତି ।
ଶ୍ରୀ ଦାସବର୍ମା କହିଥିଲେ ଯେ ଜାତୀୟ ରାଜପଥ ନିର୍ମାଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶାରେ ୪ବର୍ଷ ମଧ୍ୟରେ ୫୪୯୯ କିଲୋମିଟର ରାଜପଥ ନିର୍ମାଣ ନେଇ ଏହା ଏକ ରେକର୍ଡ ବୋଲି କେନ୍ଦ୍ରମନ୍ତ୍ରୀ ଯୁକ୍ତି ବାଢ଼ିବା ସଂପୂର୍ଣ୍ଣ ଭ୍ରମାତ୍ମକ । ୨୦୧୪ରୁ ୨୦୧୮ ମଧ୍ୟରେ ନିର୍ମିତ ମୋଟ ରାସ୍ତା ମଧ୍ୟରୁ ଏନ୍‍ଏଚ୍‍ଓ (ଓଡ଼ିଶା ସରକାରଙ୍କ ସହଭାଗିତାରେ) ୧୦୫୮ କିମି ଓ ଏନ୍‍ଏଚ୍‍ଏଆଇ (ଭାରତ ସରକାରଙ୍କ ଅଧୀନ) ମାତ୍ର ୨୫୪ କିମି ରାସ୍ତା ନିର୍ମାଣ କରିଛି । ମୋଟ ୧୩୧୨ କିମି ରାସ୍ତା ନିର୍ମାଣ କରାଯାଇଥିଲା ବେଳେ ୨୦୧୫ରୁ କେନ୍ଦ୍ର ଗୋପାଳପୁର-ଦୀଘା କୋଷ୍ଟାଲ୍‍ ହାଇୱେ ସ୍ୱପ୍ନ ଦେଖାଇଆସିଛି । ୪ବର୍ଷ ବିତିସାରିଥିଲେ ମଧ୍ୟ କୋଷ୍ଟାଲ୍‍ ହାଇୱେ ସ୍ୱପ୍ନ ଏ ପର୍ଯ୍ୟନ୍ତ ଆସିନାହିଁ । ରେଳବାଇ କ୍ଷେତ୍ରରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ଓଡ଼ିଶାକୁ ସମୁଦାୟ ଆବଣ୍ଟିତ ଅର୍ଥ ପରିମାଣ ୨୦୨୧୩ କୋଟି ଟଙ୍କା ।  ପ୍ରସ୍ତାବିତ ଜୟପୁର-ନବରଙ୍ଗପୁର ରେଳ ଲାଇନ୍‍ ପାଇଁ ଓଡ଼ିଶା ସରକାର ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥ ବହନ କରିବେ ଓ ଜମି ମାଗଣାରେ ଯୋଗାଇ ଦେବେ । ଉଭୟକୁ ଏକାଠି କଲେ ପ୍ରାୟ ୭୦ ପ୍ରତିଶତ ବ୍ୟୟଭାର ରାଜ୍ୟ ସରକାର ବହନ କରିବେ ।
ଆଗାମୀ ୫୦ବର୍ଷରେ କୋଇଲା ରୟାଲିଟି ବାବଦ ଓଡ଼ିଶା ୭୧ ହଜାର କୋଟି ଟଙ୍କା ପାଇବ ବୋଲି ଶ୍ରୀ ପ୍ରଧାନ କହୁଥିବା ବେଳେ ସେ ଜାଣି ରଖିବା ଉଚିତ୍‍, ଅର୍ଦ୍ଧଶତାବ୍ଦୀ ମଧ୍ୟରେ କୋଇଲା ଜନିତ ପ୍ରଦ୍ୟୁଷଣ ଯୋଗୁ ଓଡ଼ିଶାର ପରିବେଶ ଉଚ୍ଛନ୍ନ ହେବା ସହ ନାନା ପ୍ରଦ୍ୟୁଷଣ ଜନିତ ରୋଗର ଶିକାର ରାଜ୍ୟବାସୀ ହୋଇପାରନ୍ତି । ଦଳର ସାଧାରଣ ସଂପାଦକ ଅରୁଣ କୁମାର ସାହୁ କହିଥିଲେ, ତ୍ରୟୋଦଶ ଅର୍ଥ କମିଶନଙ୍କ ଦ୍ୱାରା ଓଡ଼ିଶା ୪.୭୮ ପ୍ରତିଶତ ଟିକସର ଭାଗ ପାଉଥିଲା ବେଳେ ଚତୁର୍ଦ୍ଦଶ ଅର୍ଥ କମିଶନ ଏହାକୁ ହ୍ରାସ କରିବା ପରେ ଓଡ଼ିଶାକୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।