ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଆସନ୍ତାକାଲି ନିଷ୍ପତି ନେବ ବିଜେଡି

0
351
naveen patnaik
naveen patnaik
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ହେବାକୁ ଥିବା ବେଳେ ବିଜୁ ଜନତା ଦଳର ଭୂମିକାକୁ ନେଇ ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗରେ ଆସନ୍ତାକାଲି ନିଷ୍ପତି ନେବ ବିଜେଡି ।
ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। କେନ୍ଦ୍ର ସଂସଦରେ ମୋସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ କଂଗ୍ରେସ-ଟିଡିପି ଓ ଏନସିପି ପକ୍ଷରୁ ଆସିଥିବା ଏହି ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ସ୍ଵୀକାର କରିଛନ୍ତି । ଆସନ୍ତା ଶୁକ୍ରବାର ଏହି ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ହେବାକୁ ଥିବା ବେଳେ ଜୁଲାଇ ୨୩ ଅର୍ଥାତ ସୋମବାର ଦିନ ରାଜ୍ୟସଭାରେ ଆଲୋଚନା କରାଯିବ।

ତେବେ ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ବିଜୁ ଜନତା ଦଳର ଭୂମିକାକୁ ନେଇ ଚର୍ଚ୍ଚା ହେଉଛି । ବିଜେଡିର ୨୦ ଜଣ ସାଂସଦ ଥିଲାବେଳେ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ଗ୍ରହଣ କରିନେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ । ହେଲେ ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଏବେ ଜାମିନରେ ଆସିଛନ୍ତି । ତେଣୁ ବୈଜୟନ୍ତଙ୍କୁ ବାଦ୍ ଦେଲେ ଲୋକସଭାରେ ବିଜେଡିର ସାଂସଦଙ୍କ ସଂଖ୍ୟା ୧୯ ହେଉଛି  ।

ତେଣୁ ଅନସ୍ଥା ପ୍ରସ୍ତାବରେ ବିଜେଡିର ୧୯ସାଂସଦ ସରକାର ବିରୋଧରେ ରହିବେ, ନା ମୋଦି ସରକାରଙ୍କୁ ସମର୍ଥନ କରିବେ ସେ ନେଇ ବିଜୁ ଜନତା ଦଳ ନିଜର ପକ୍ଷ ଆସନ୍ତାକାଲି ସ୍ପଷ୍ଟ କରିବ ବୋଲି ଦଳୀୟ ସାଂସଦ କଳିକେଶ ନାରାୟଣ ସିଂହଦେଓ ମନ୍ତବ୍ୟ ଦେଇଛନ୍ତି ।  ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକ ବସିବ। ଅନାସ୍ଥାରେ ବିଜେଡିର ଭୂମିକା ନେଇ ବୈଠକରେ ନିଷ୍ପତି ନିଆଯିବ । ବର୍ତ୍ତମାନ ସୁଦ୍ଧା ବିଜେପି ଓ କଂଗ୍ରେସ ସହ ସମଦୂରତା ରଖି ଆସିଛୁ ବୋଲି ସେ କହିଛନ୍ତି।