ଜୁଏଲଙ୍କୁ ସୌମ୍ୟ ଓ ନିରଞ୍ଜନଙ୍କ ଜବାବ : ବିଜେପି ଭୟଭୀତ

0
437
jual oram
jual oram
ଭୁବନେଶ୍ୱର : ବିଜେଡ଼ିର ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଉଭୟ ନବୀନ ଓ ନିରଞ୍ଜନଙ୍କ ସମ୍ପର୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଏକ ପ୍ରେସମିଟ୍ କରି ଏଭଳି ମନ୍ତବ୍ୟ ରଖିଥିଲେ। ମନ୍ତ୍ରୀଙ୍କ ଏଭଳି ମତ ପରେ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଓ ବିଜେଡିର ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପାଲଟା ଜବାବ ରଖିଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ବିଜେପି ଭୟଭୀତ ହୋଇ ଏପରି ଅଭିଯୋଗ କରୁଥିବା ନିରଞ୍ଜନ କହିଥିବା ବେଳେ ସୌମ୍ୟ କାଚ ଘରେ ରହି ଅନ୍ୟକୁ ଟେକା ଫିଙ୍ଗିବା ଉଚିତ୍ ନୁହେଁ ବୋଲି କହିଛନ୍ତି ।

ନିରଞ୍ଜନ ପଟ୍ଟନାୟକ ଜୁଏଲଙ୍କ ଅଭିଯୋଗର ଜବାବ ରଖି କହିଛନ୍ତି ଯେ ଜୁଏଲ ଏତେ କାହିଁକି ଭୟଭୀତ ବୁଝା ପଡୁନାହିଁ । ଭୟଭୀତ ହୋଇ ବିଜେପି ଏପରି ଅଭିଯୋଗ କରୁଛି। ୯ ବର୍ଷ ଧରି ବିଜେଡି ସହ ବିଜେପିର ସମ୍ପର୍କ ଥିଲା । କଂଗ୍ରେସ ସହ ନୁହେଁ ବିଜେପି ସହ ବିଜେଡିର ଭିତିରି ସମ୍ପର୍କ ଅଛି ବୋଲି ସେ କହିଛନ୍ତି। ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବକୁ ଅଣବିଜେପି ମୁଖ୍ୟମନ୍ତ୍ରୀ ଆସିବେ। ତା’ହେଲେ ନବୀନ ପଟ୍ଟନାୟକ କଣ ପାଇଁ ସେଠାକୁ ଯାଉନାହାନ୍ତି । ଏଥିରୁ ବିଜେପି ସହ ନବୀନଙ୍କ ଭିତିରି ବୁଝାମଣା ବାରି ହୋଇ ପଡୁଛି।  ସେହିପରି ଜୁଏଲଙ୍କ ପ୍ରତିକ୍ରିୟାରେ ସୌମ୍ୟ କହିଛନ୍ତି ଯେ ପାରିବାରିକ ସମ୍ପର୍କ ନେଇ ରାଜନୀତି କଲେ ଫଳବତୀ ହେବନି । ମୋ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରମାଣ କଲେ ମୁଁ ଗ୍ରହଣ କରିବି । ଜାନକୀବଲ୍ଲଭଙ୍କ ବେଳେ ମୁଁ ବିଜେପି, ନିରଞ୍ଜନ କଂଗ୍ରେସର ଥିଲେ । ସେତେବେଳେ ଜୁଏଲ ଜାଣିପାରିଥିବେ ପ୍ରକୃତ କଥା କଣ । କାଚ ଘରେ ରହି ଅନ୍ୟ ଟେକା ଫିଙ୍ଗିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି-କଂଗ୍ରେସ ଭିତିରି ସମ୍ପର୍କ ନେଇ ଜୁଏଲ ବିଜେଡିକୁ ଟାର୍ଗେଟ କରିଥିଲେ। ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡ ମୁଖପାତ୍ର ସସ୍ମିତ ପାତ୍ର । କର୍ଣ୍ଣାଟକ ପରାଜୟର ଏହା ପରବର୍ତ୍ତୀ ପ୍ରଭାବ । କର୍ଣ୍ଣାଟକ ନିର୍ବାଚନ ପରେ ବିଜେପି ଭୟଭୀତ,ବ୍ୟସ୍ତ, ବିବ୍ରତ। ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପରାଜୟ ପାଇଁ ଏବେଠୁ ବିଜେପି ଆଳ ଖୋଜୁଛି। ଆମେ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖୁଛୁ । ଏକଥା ନବୀନ ମଧ୍ୟ ସ୍ପଷ୍ଟ କରିଥିବା ସେ କହିଛନ୍ତି।