ସଂପର୍କର ସେତୁ : ଆମ ଗାଁ, ଆମ ବିକାଶ

0
499
cm naveen patnaik
cm naveen patnaik

ଭୁବନେଶ୍ୱର ( ଦିପ୍ତୀ ରାୟ ) : ରାଜ୍ୟ ସରକାର ଓ ଲାକଙ୍କ ମଧ୍ୟରେ ସଂପର୍କର ସେତୁ ସାଜିଛି ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଜରିଆରେ ପଂଚାୟତ ପ୍ରତିନିଧି ତଥା ଲୋକଙ୍କ ସହ ସିଧା ସଳଖ ସଂପର୍କ ସ୍ଥାପନ କରୁଥିବାରୁ ତାହା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ସୁଫଳ ଆଣୁଛି ।

ଅର୍ଥାତ୍ ଲୋକେ ନିଜର ଇଛା ମୁତାବକ ଗ୍ରାମ ବିକାଶ ପାଇଁ ଯୋଜନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପିତ କରୁଛନ୍ତି । ଯାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୁରନ୍ତ ଅନୁମୋଦିତ ହେଉଛି । ତେଣୁ ସେ ଅଂଚଳର ଲୋକଙ୍କ ଖୁସି କହିଲେ ନସରେ । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ମାଧ୍ୟମରେ ଲୋକଙ୍କ ସହ ସଂପର୍କ ସ୍ଥାପନ କରିପାରିଥିବାରୁ ଲୋକଙ୍କ ହୃଦୟ ଜିଣି ପାରୁଛନ୍ତି । ଯାହା ଆଗାମୀ ଦିନରେ ରାଜନୈତିକ ଫାଇଦା ବିଜେଡିକୁ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ରାଜ୍ୟ ସରକାର ଅନେକ ଜନ ମଙ୍ଗଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେ ସବୁ ଲୋକଙ୍କ ପାଖରେ କିଭିଳି ପହଂଚିବ ସେ ନେଇ ତଦାରଖ ମଧ୍ୟ କରୁଛନ୍ତି । କିନ୍ତୁ ଲୋକଙ୍କର କେଉଁ ଆବଶ୍ୟକତା ରହିଛି, ତାହା ବେଳେ ବେଳେ ସରକାରଙ୍କ ନଜରକୁ ଆସେ ନାହିଁ । ଲୋକଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ କରାଯାଇଥିବା ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ସରକାରଙ୍କର ଏକ ସଫଳ ପ୍ରୟାସ ବୋଲି କୁହାଯାଇପାରେ ।

ଏହି କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧି ତଥା ସଂପୃକ୍ତ ପଂଚାୟତ ବାସୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି । ସରକାରଙ୍କ ଉପରେ ଆସ୍ଥା ମଧ୍ୟ ବୃଦ୍ଧିପାଉଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ତାଙ୍କର ସମସ୍ୟା ଉପସ୍ଥାପନ କରିପାରିବେ ବୋଲି ଲୋକଙ୍କ ମନରେ ଆଶା ସୃଷ୍ଟି ହୋଇଛି । ଯାହା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖୁସି ଖବର ବୋଲି ରାଜନୀତି ବିଶାରଦମାନେ ମତବ୍ୟକ୍ତ କରନ୍ତି ।

ସେମାନଙ୍କ କହିବା ଅନୁଯାୟୀ ଏହା ହେଉଛି ଗୋଟିଏ ଗୁଳିରେ ନବୀନଙ୍କ ଦୁଇଟି ଶିକାର । ବିକାଶ କରିବା ଓ ଲୋକଙ୍କ ସହ ସିଧାସଳଖ ସଂପର୍କ ରଖିବା । କାରଣ ରାଜ୍ୟରେ ବିଜେପି ପକ୍ଷରୁ ଯେପରି ରାଜନୈତିକ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ ଚାଲିଛି, ସେ ଦୃଷ୍ଟିରୁ ଲୋକଙ୍କୁ ନିଜ ସପକ୍ଷରେ ରଖିବା ବିଜେଡି ପାଇଁ ଏକ ବଡ ଚ୍ୟାଲେଂଜ ଥିଲା । ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ବିଜେଡିକୁ ମଜବୁତ କରୁଛି । ଯାହ ଦଳ ପାଇଁ ଆଗାମୀ ଦିନରେ ଫାଇଦା ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।