‘ବ୍ଲାକରୋଜ’ ଖୋଜିବ ସିବିଆଇ

0
401
black rose ship
black rose ship
ଭୁବନେଶ୍ୱର : ‘ବ୍ଲାକରୋଜ’ ବୁଡିବାର ୯ ବର୍ଷ ପରେ ଖୋଜିବ ସିବିଆଇ। ଏ ନେଇକେନ୍ଦ୍ର ଜାହାଜ ଚଳାଚଳ  ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଚିଠି ଜାରି କରାଯାଇଛି ।

ବହୁଚର୍ଚ୍ଚିତ ‘ବ୍ଲାକରୋଜ’ ଜାହାଜକୁ ଖୋଜିବ ସିବିଆଇ। ପାରାଦ୍ୱୀପ ବନ୍ଦରରେ ‘ବ୍ଲାକରୋଜ’ ବୁଡିବାର ୯ ବର୍ଷ ପରେ ମଧ୍ୟ ଜାହାଜକୁ ଉଦ୍ଧାର କରଯାଇନଥିବା ବେଳେ ଘଟଣାର ଅନୁଧ୍ୟାନ କରିବାକୁ ଏପରି ପଦକ୍ଷେପ ନେଇଛି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ। ଏ ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଚିଠି ଜାରି କରାଯାଇଛି । ପିପିଟି ଟ୍ରଷ୍ଟିଙ୍କ ଅନୁରୋଧ କ୍ରମେ ସିବିଆଇକୁ ଜାହାଜ ମନ୍ତ୍ରଣାଳୟ ଚିଠି ପଠାଇଥିବା ଜଣାପଡ଼ିଛି ।

୨୦୧୬ ଜୁଲାଇ ୨୯ ତାରିଖରେ ପିପିଟିର ୨ ଜଣ ଟ୍ରଷ୍ଟି ପ୍ରତାପ ମିଶ୍ର, ଭୁବନ ଜେନା ସିବିଆଇ ତଦନ୍ତ ପାଇଁ ପିପିଟି ଅଧ୍ୟକ୍ଷଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ସେହି ସମୟରେ ପିପିଟି ବୋର୍ଡ ତାଙ୍କ ଆବେଦନ ଆଗ୍ରହ୍ୟ ପ୍ରକାଶ କରିନଥିଲା। ତେଣୁ ପୁଣି ଥରେ ସେହିବର୍ଷ ସେପ୍ଟେମ୍ବର ୯ ତାରିଖରେ ଭୁବନ ପୁଣି ସିବିଆଇ ତଦନ୍ତ ଅନୁରୋଧ କରିଥିଲା ବେଳେ ଟ୍ରଷ୍ଟିଙ୍କ ଆବେଦନକୁ ସୁପାରିଶ କରିବା ପରେ ଏହି ପତ୍ରକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟକୁ ପଠାଯାଇଥିଲା। ଏହି ମର୍ମରେ ମନ୍ତ୍ରାଳୟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛି। କେମିତି ବୁଡିଥିଲା ଏମଭି ବ୍ଲାକରୋଜ୍ ଜାହାଜ, କେଉଁଠୁ ଆସି ଲୋଡ ହୋଇଥିଲା ଶହ ଶହ ଟନ ଲୁହା ପଥର ସେ ଦିଗରେ ସିବିଆଇ ତଦନ୍ତ କରିବ ।

୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ଲୁହାପଥର ବୋଝାଇ ମଙ୍ଗୋଲୀୟ ଜାହାଜ ‘ଏମ ଭି ବ୍ଲାକରୋଜ’ ପାରାଦ୍ୱୀପ ବନ୍ଦରରେ ବୁଡି ଯାଇଥିଲା। ଏହି ଦୁର୍ଘଟଣାରେ ଜାହାଜର ୟୁକ୍ରେନୀୟ ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଜାହାଜରେ ଥିବା ତେଲ ସମୁଦ୍ରରେ ଭାସି ସମସ୍ୟା ସୃଷ୍ଟି କରିଥିଲା। ଅଶୋଧିତ ତେଲ ସମୁଦ୍ରରେ ମିଶିବା ଫଳରେ ବହୁ ସାମୁଦ୍ରିକ ଜୀବ ଜନ୍ତୁ ମୃତ୍ୟୁବରଣ କରିଥିଲେ। ପରିବେଶ ଦୃଷ୍ଟିରୁ ଜାହାଜକୁ ସମୁଦ୍ରରୁ କାଢିବା ନେଇ ଜରୁରୀ ଥିଲା ବେଳେ ଜାହାଜକୁ ଠାବ କରାଯାଇପାରିନଥିଲା। ଦୀର୍ଘ ୯ ବର୍ଷ ପରେ ଜାହାଜଟି ଏବେ ବି ସେମିତି ସମୁଦ୍ରରେ ବୁଡି ରହିଛି । ତେବେ ଜାହାଜରେ ଥିବା ବୀମା, ଫିଟନେସ୍ ସବୁ ନକଲି ଥିବା ପୂର୍ବରୁ ସ୍ପଷ୍ଟ ହୋଇଯାଇଥିଲା। ଏତେ ବଡ଼ ବିଶାଳ ଜାହାଜ ଜାଲ୍ କାଗଜପତ୍ରରେ ଚଳାଚଳ କରୁଥିବା ଓ କାହିଁକି ଏହାର ଅନୁସନ୍ଧାନ ହେଉନି ତାକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା ।